ଗତ ପାଞ୍ଚ ବର୍ଷରେ ୧୫୯ ଭାରତୀୟ ନେଇଛନ୍ତି ପାକିସ୍ତାନର ନାଗରିକତା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୨୦୧୯ ପରଠୁ ୧୫୯ ଜଣ ଭାରତୀୟ ଶତ୍ରୁ ଦେଶ ପାକିସ୍ତାନର ନାଗରିକତା ଗ୍ରହଣ କରିଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଆଧାରରେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧୪ ଜଣ ବିଦେଶୀଙ୍କ ମଧ୍ୟରୁ ୧୫୯ ଜଣ ଭାରତୀୟଙ୍କୁ ପାକିସ୍ତାନ ସରକାର ନାଗରିକତା ପ୍ରଦାନ କରିଛନ୍ତି । ଭାରତୀୟମାନେ ପାକିସ୍ତାନର ନାଗରିକତା ଗ୍ରହଣ କରିବା ପଛରେ ବିବାହ ଓ ପାରିବାରିକ ସମ୍ପର୍କ ଭଳି କାରଣ ରହିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସରକାରୀ ଦଲିଲରୁ ଜଣାପଡିଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧୪ ଜଣ ବିଦେଶୀଙ୍କୁ ପାକିସ୍ତାନୀ ନାଗରିକତ୍ୱ ଦିଆଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ସର୍ବାଧିକ ସଂଖ୍ୟକ ଭାରତୀୟ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ସେହିବର୍ଷ ମୋଟ ୫୫ ଭାରତୀୟ ପାକିସ୍ତାନର ନାଗରିକତା ଗ୍ରହଣ କରିଥିଲେ । ତା’ ପୂର୍ବ ବର୍ଷ ଅର୍ଥାତ୍ ୨୦୧୮ରେ ଏହି ସଂଖ୍ୟା ୪୩ ଥିଲା | ପୁଣି ୨୦୨୦ରେ ୨୭ ଓ ୨୦୨୧ ମସିହାରେ ଆଉ ୧୮ ଜଣ ଭାରତୀୟଙ୍କୁ ପାକିସ୍ତାନ ନାଗରିକତା ପ୍ରଦାନ କରିଥିଲା | ପାକିସ୍ତାନର ନାଗରିକତା ପାଇଁ ହଜାର ହଜାର ଆବେଦନ ଏବେ ବି ବିଚାରାଧୀନ ରହିଥିବା କୁହାଯାଇଛି। ବିବାହ, ପାରିବାରିକ ସମ୍ପର୍କ, ବୃତ୍ତିଗତ କାରଣ କିମ୍ବା ପାକିସ୍ତାନରେ ଦୀର୍ଘ ସମୟ ରହିବା ଆଧାରରେ ଭାରତୀୟଙ୍କ ସହ ଅନ୍ୟ ଦେଶର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି ।

ଜଣେ ପାକିସ୍ତାନୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ତିନିଜଣ ଚୀନ୍ ନାଗରିକଙ୍କୁ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିବାବେଳେ ଚାରିଜଣ ବାଂଲାଦେଶୀ, ଜଣେ ଇଟାଲୀୟ, ଜଣେ ସ୍ୱିସ୍, ତିନି ଜଣ ଆମେରିକୀୟ, ଦୁଇ ଜଣ କାନାଡିୟ ଏବଂ ଚାରି ଜଣ ବ୍ରିଟିଶ୍ ନାଗରିକଙ୍କୁ ମଧ୍ୟ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିଲା।

Comments are closed.