ଆଫଗାନିସ୍ତାନରୁ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଗତକାଲି ଭାରତ ଫେରିଥିବା ୭୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଆକ୍ରାନ୍ତଙ୍କ ସହ ସମସ୍ତ ୭୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆକ୍ରାନ୍ତ ୧୬ ବ୍ୟକ୍ତି ଲକ୍ଷଣ ବିହୀନ ବୋଲି କୁହାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ଆଫଗାନିସ୍ତାନରୁ ଶିଖ୍ ଧର୍ମଗ୍ରନ୍ଥ ଆଣିଥିବା ତିନି ଜଣ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି । ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ହର୍ଷଦୀପ ପୁରୀ ସେମାନଙ୍କ ଠାରୁ ‘ଗୁରୁ ଗ୍ରନ୍ଥ ସାହିବ’ର ତିନି ନକଲ ଗ୍ରହଣ କରିଥିଲେ । ସେହି ଗ୍ରନ୍ଥକୁ ସେ ନିଜ ମୁଣ୍ଡରେ ଧରି ବିମାନ ବନ୍ଦର ବାହାରକୁ ଆଣିଥିଲେ ।

ତାଲିବାନ ଶାସନ ଫେରିବା ପରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କ ସହ ଅସହାୟ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଫେରାଇ ଆଣିବା ଅଭିଯାନ ଜାରି ରଖିଛି । ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୨୨୮ ଭାରତୀୟଙ୍କ ସମେତ ମୋଟ ୬୨୬ ଲୋକଙ୍କୁ ଅଣାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଫଗାନିସ୍ତାନରୁ ଭାରତ ଫେରିଥିବା ଲୋକଙ୍କ ମଧ୍ୟରେ ୭୭ ଜଣ ଆଫଗାନ୍ ଶିଖ୍ ଅଛନ୍ତି । ଭାରତ କହିଛି ଯେ ଯେଉଁମାନେ ଆଫାଗାନିସ୍ତାନ ଛାଡ଼ି ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସବୁ ସହଯୋଗ କରାଯିବ । ଆଫଗାନ୍ ହିନ୍ଦୁ ଓ ଶିଖ୍‌ମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଭାରତ ସରକାର କହିଛନ୍ତି ।

Comments are closed.