ନେପାଳରେ ଭୂସ୍ଖଳନ ଯୋଗୁଁ ୧୭ ମୃତ

କାଠମାଣ୍ଡୁ: ଗତ ୨୪ ଘଣ୍ଟା ମଧ୍ୟରେ ନେପାଳର ପଶ୍ଚିମ ଭାଗରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। କାଠମାଣ୍ଡୁ ଠାରୁ ୪୫୦ କିଲୋମିଟର ଦୂର ପଶ୍ଚିମ ପ୍ରଦେଶର ଅଚ୍ଛାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ଗତ କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରଦେଶ ବନ୍ୟା ପ୍ରଭାବିତ ହୋଇଛି।

କାର୍ଯ୍ୟନିର୍ବାହୀ ମୁଖ୍ୟ ଜିଲ୍ଲା ଅଧିକାରୀ ଦୀପେଶ ରିଜଲ କହିଛନ୍ତି ଯେ ଜିଲ୍ଲାର ଭୂସ୍ଖଳନରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଆହତ ହୋଇଥିବା ୧୧ ଜଣଙ୍କୁ ଚିକିତ୍ସା ପାଇଁ ସୁରଖେଟ ଜିଲ୍ଲାକୁ ପଠାଯାଇଛି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଭୂସ୍ଖଳନ ପରେ ତିନି ଜଣ ନିଖୋଜ ଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ନେପାଳ ପୋଲିସ କର୍ମଚାରୀ ନିଖୋଜ ଲୋକଙ୍କୁ ଖୋଜିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ବିପର୍ଯ୍ୟୟ ଯୋଗୁଁ ପ୍ରଦେଶର ସାତଟି ଜିଲ୍ଲାକୁ ସଂଯୋଗ କରୁଥିବା ଭୀମଦତ୍ତ ରାଜପଥରେ ଯାତାୟାତ ବନ୍ଦ ରହିଛି । ଭୂସ୍ଖଳନ ଯୋଗୁଁ ଅଚ୍ଛାମ ଜିଲ୍ଲାରେ ଯୋଗାଯୋଗ ସେବା ମଧ୍ୟ ପ୍ରଭାବିତ ହୋଇଛି।

Comments are closed.