ବିରୋଧୀ ଦଳର ୧୯ ସାଂସଦ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ଚଳିତ ମୌସୁମୀ ଅଧିବେଶନରେ ଦରଦାମ୍ ଓ ଜିଏସଟି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରୁଛନ୍ତି ବିରୋଧୀ । ତେବେ ସରକାର ଏଥିରେ ରାଜି ହେଉନାହାଁନ୍ତି । ବରଂ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଉଛି । କାଲି ଲୋକସଭାରୁ ୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ଆଜି ରାଜ୍ୟସଭାର ବିରୋଧୀ ଦଳର ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

ଦରଦାମ୍ ପ୍ରସଙ୍ଗରେ ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା କାରଣରୁ ରାଜ୍ୟସଭାର ୧୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ ଏବଂ ଡୋଲା ସେନଙ୍କ ସମେତ ୧୯ ଜଣ ସାଂସଦଙ୍କୁ ସପ୍ତାହର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍ ଏବଂ ଡୋଲା ସେନ୍, ଅଲାବା ମୌସମ ନୁର, ଶାନ୍ତି ଛେତ୍ରିୟା, ନଦ୍ଦିମୁଲ ହକ, ଅବିରଂଜନ ବିଶ୍ବାସ ଅଛନ୍ତି। ଏହାଛଡ଼ା ରହୀମ ଏବଂ ଶିବଦାସାନ (ବାମ), କାନିମୋଝି (ଡ଼ିଏମକେ), ବି.ଏଲ୍ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ ଗୃହକୁ ୨୦ ମିନିଟ ପାଇଁ ମୁଲତବୀ ରଖାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୂରା ମୌସୁମୀ ଅଧିବେଶନ ପାଇଁ କଂଗ୍ରେସର ଚାରିଜଣ ସାଂସଦ ଜ୍ୟୋତିମଣି, ମଣିକମ୍ ଟାଗୋର, ଟିଏନ୍ ପ୍ରତାପନ୍ ଏବଂ ରାମ୍ୟା ହରିଦାସଙ୍କୁ ନିଲମ୍ବିତ କରିଥିଲେ ।

Comments are closed.