ରାଷ୍ଟ୍ରପତିଙ୍କୁ ଅଣଦେଖା ପ୍ରତିବାଦରେ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ୧୯ ବିରୋଧୀ ଦଳ

ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ନୂଆ ସଂସଦ ଭବନ ରାଜନୈତିକ ବିବାଦରେ ଛନ୍ଦି ହୋଇପଡିଛି । ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରୁ ରାଷ୍ଟ୍ରପତିଙ୍କୁ ଦୂରେଇ ରଖାଯିବା ପ୍ରତିବାଦରେ କଂଗ୍ରେସ ସହ ୧୯ଟି ବିରୋଧୀ ଦଳ ଏହାର ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ବୁଧବାର ଘୋଷଣା କରିଛନ୍ତି । ସେମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଏହି ସରକାରର କାର୍ଯ୍ୟକାଳରେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ବାହାର କରିଦିଆ ଯାଇଥିବା ବେଳେ ରାଷ୍ଟ୍ରପତିଙ୍କୁ ଉଦଘାଟନରୁ ଦୂରେଇ ରଖାଯାଇଛି, ଯାହାକି ଅଶୋଭନୀୟ ।

୧୯ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ନୂଆ ସଂସଦ ଭବନକୁ ଉଦଘାଟନ କରିବା ନିଷ୍ପତ୍ତି କେବଳ ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ।

ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ୧୯ ବିରୋଧୀ ଦଳ ହେଲେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜେଡିୟୁ, ଆମ୍ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସିପିଆଇ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାସନାଲ କନଫରେନ୍ସ, କେରଳ କଂଗ୍ରେସ (ମଣି), ରିଭ୍ୟୁଲୋସନାରୀ ସୋସିଆଲିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥିଗାଲ୍ କାଚି (ଭିସିକେ), ଏମଡିଏମକେ ଏବଂ ରାଷ୍ଟ୍ରୀୟ ଲୋକଦଳ ।

ସୂଚନାଯୋଗ୍ୟ ଯେ ଆସନ୍ତା ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂଆ ଭବନକୁ ଉଦଘାଟନ କରିବେ।

ବିରୋଧୀ ଦଳ କହିଛନ୍ତି, “ରାଷ୍ଟ୍ରପତି କେବଳ ରାଷ୍ଟ୍ର ମୁଖ୍ୟ ନୁହଁନ୍ତି, ସେ ସଂସଦର ଏକ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତି ସଂସଦର ଅଧିବେଶନ ଆହୂତ କରନ୍ତି ଏବଂ ବର୍ଷର ପ୍ରଥମ ଅଧିବେଶନରେ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରନ୍ତି। ସଂକ୍ଷେପରେ, ରାଷ୍ଟ୍ରପତିଙ୍କ ବିନା ସଂସଦ କାର୍ଯ୍ୟ କରିପାରିବ ନାହିଁ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଗୃହର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏପରି ନିଷ୍ପତ୍ତିକୁ ‘ଅଶୋଭନୀୟ କାର୍ଯ୍ୟ’ ବୋଲି କହିଛନ୍ତି ବିରୋଧୀ ।

Comments are closed.