ଗଞ୍ଜାମ: ସଚେତନତା ସୃଷ୍ଟିରେ ଅଗ୍ରଣୀ

ବ୍ରହ୍ମପୁର: କରୋନା ମହାମାରୀ ମୁକାବିଲାରେ ସତର୍କତାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ସେ ନେଇ ସଚେତନତା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏମିତିରେ ତ ପ୍ରଶାସନ ଦ୍ବାରା କରୋନା ପ୍ରତିକାର ଦୃଷ୍ଟିରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଜାଗ କରାଯାଉଛି, ତେବେ ଗଞ୍ଜାମ ଜିଲ୍ଲାରେ ବ୍ୟକ୍ତିଗତ ଭାବେ କିଛି ଜଣ ସାଧାରଣ ଲୋକଙ୍କୁ ଭିନ୍ନ ଭିନ୍ନ ଜରିଆରେ ସଚେତନ କରାଇବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ଉଦ୍ୟମ ମଧ୍ୟ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛି ।

ବ୍ରହ୍ମପୁର ଗୋସାଇଁନୂଆଗାଁର ନୃତ୍ୟଶିଳ୍ପୀ ତଥା ନୃତ୍ୟ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ମହାରଣା । ନିକଟରେ ସେ ଏକ ସଚେତନତାଧର୍ମୀ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଜରିଆରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କିଭଳି କରୋନା ଠାରୁ ସୁରକ୍ଷିତ ରହିପାରିବା ସେ ନେଇ ନିଜ ନାଚ ଜରିଆରେ ଅବଗତ କରାଉଛନ୍ତି ସ୍ୱର୍ଣ୍ଣଲତା । କାଶୀନାଥ ମହାରଣା ଓ ମୀନତି ମହାରଣାଙ୍କ ଝିଅ ତଥା ଶ୍ରୀକାନ୍ତ ସାହୁଙ୍କ ପତ୍ନୀ ସ୍ଵର୍ଣ୍ଣଲତା କୁହନ୍ତି ନୃତ୍ୟଗୀତ ଦ୍ବାରା କେବଳ ମନୋରଞ୍ଜନ ନୁହେଁ, ବରଂ ସଚେତନତା ମଧ୍ୟ ସୃଷ୍ଟି କରିହେବ । ନୃତ୍ୟଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କ ଏହି ଶିଷ୍ୟାଙ୍କ ଏପରି ପ୍ରୟାସକୁ ଡିଏଭି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଧାରାଶ୍ରୀ ପାଢ଼ୀ ଉତ୍ସାହିତ କରିଛନ୍ତି ।

ରଙ୍ଗେଇଲୁଣ୍ଡା ବ୍ଲକ୍ ରଣ୍ଢା ଗ୍ରାମର ୧୦ ବର୍ଷୀୟା ବାଳିକା ହଂସିକା ରାଉଳ। ଗତବର୍ଷ ଭଳି ଏଥର ମଧ୍ୟ ନିଆରା ବେଶଭୂଷା ସହ ସୋସିଆଲ୍ ମିଡିଆରେ ଭିଡିଓ ପ୍ରଚାର ପ୍ରସାର କରି କରୋନା ବିରୋଧୀ ସଚେତନତା ସୃଷ୍ଟି କରୁଛନ୍ତି ସେ। ପୂର୍ବରୁ ବି ସେ ନାରୀ ନିର୍ଯାତନା, କନ୍ୟାଭୃଣ ହତ୍ୟା, ପରିବେଶ ଓ ସଡକ ସୁରକ୍ଷା, ଜଙ୍ଗଲ ରକ୍ଷା, ସଂସ୍କୃତି ଓ ପରମ୍ପରା ସଂରକ୍ଷଣ ନେଇ ଏଭଳି ପ୍ରୟାସ କରି ଆସୁଛନ୍ତି। ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏହି ଛାତ୍ରୀ ତଥା ସୁଦର୍ଶନ ରାଉଳ ଓ ରୀନା କୁମାରୀଙ୍କ ଝିଅ ହଂସିକାଙ୍କ ଅଭିନୟ ସମ୍ବଳିତ ଭିଡିଓ ବାର୍ତ୍ତା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

ହିଞ୍ଜିଳିକାଟୁ ବ୍ଳକ୍ କଣ୍ଟେଇକୋଳି ଗ୍ରାମର ଅରୁଣ କୁମାର ସାହୁ ଓ ସୁମନ ସେନାପତିଙ୍କୁ ଏବେ ପୁଲିସ, ପ୍ରଶାସନିକ ଅଧିକାରୀଙ୍କ ସହ ଅଧିକ ସମୟ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମରେ କୋଭିଡ୍ ଭୂତାଣୁର ଏକ ମାସ୍କଟ୍ ପିନ୍ଧି ‘ମୁଁ କରୋନା, ମୁଁ କାହାକୁ ଡରେନା’ କହି ସେମାନେ ଲୋକଙ୍କୁ ମହାମାରୀର ମାରାତ୍ମକତା ସମ୍ପର୍କରେ ସତର୍କ କରାଇ ଦେଉଛନ୍ତି। ଘରେ ରୁହ, ମାସ୍କ ପିନ୍ଧ ଭଳି ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ଲୋକଙ୍କୁ ବୁଝାଉଛନ୍ତି ଅରୁଣ ଓ ସୁମନ।

ଏମାନଙ୍କ ପରି ଆହୁରି ଅନେକ ପ୍ରତିଭାସମ୍ପନ୍ନ ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ନିଜ ନିଜ ମାଧ୍ୟମରେ ଲୋକଙ୍କୁ କରୋନା ନେଇ ସଚେତନ କରାଉଛନ୍ତି । କିଏ ଗୀତ ଗାଇ ସଚେତନ କରାଉଛି ତ କିଏ ପଥପ୍ରାନ୍ତ ସଭା ଓ ମାସ୍କ ବାଣ୍ଟି ଜନସାଧାରଣଙ୍କୁ ସଜାଗ କରାଉଛନ୍ତି।କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଏବଂ ବ୍ରହ୍ମପୁର ଏସଡିଏମ୍ ଶ୍ୱେତ କୁମାର ଦାସଙ୍କ କ୍ଷୁଦ୍ର ଚଳଚ୍ଚିତ୍ର (କରୋନା ତୁ ଫେରିଯା ଏବଂ ମାସ୍କ) ଗତଥର ସଚେତନତା ସୃଷ୍ଟିରେ ବେଶ୍ ସହାୟକ ହୋଇଥିଲା । ଡାକ୍ତରଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ୍ ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କୁ କରୋନା ଚିକିତ୍ସା ଓ ପ୍ରତିକାର ନେଇ ଜନସାଧାରଣଙ୍କୁ ସଚେତନ କରାଇବା ସହ ନିଜର ସାମାଜିକ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି ।

Comments are closed.