କୋଭିଡ୍‌ର ଦ୍ୱିତୀୟ ଲହରୀ ସଂକ୍ରମଣ ନେଇଛି ୨୪୪ ଡାକ୍ତରଙ୍କ ଜୀବନ, ବିହାର, ୟୁପି, ଦିଲ୍ଲୀରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ସଂକ୍ରମଣରେ ଏଯାବତ୍ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସର୍ବାଧିକ ସଂଖ୍ୟକ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) କହିଛି ।
ଆଇଏମ୍‌ଏ ରେଜିଷ୍ଟ୍ରି ଅନୁସାରେ, ଦ୍ୱିତୀୟ ଲହରୀ ସଂକ୍ରମଣରେ ବିହାରରେ ଏଯାବତ୍ ୬୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୪, ଏବଂ ଦିଲ୍ଲୀରେ ୨୭ ଡାକ୍ତର ପ୍ରାଣ ହରାଇଛନ୍ତି । ମୃତ ଡାକ୍ତରଙ୍କ ମଧ୍ୟରେ ସବୁଠୁ କନିଷ୍ଠ ହେଉଛନ୍ତି ଦିଲ୍ଲୀର ଅନାସ ମିଜାହିଦ୍ (୨୫) ଏବଂ ସବୁଠୁ ବୟସ୍କ ଡାକ୍ତର ହେଲେ କୋଲକାତାର ୮୭ ବର୍ଷୀୟ ଅନିଲ କୁମାର ରକସିତ୍ ।

ଆଇଏମ୍‌ଏ ଅନୁସାରେ ଗତବର୍ଷ କୋଭିଡ୍‌ରେ ସାରା ଦେଶରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ତେବେ ଚଳିତବର୍ଷ ମାଦ୍ର ଦୁଇ ମାସ ମଧ୍ୟରେ ୨୪୪ ଡାକ୍ତରଙ୍କ ଜୀବନ ଗଲାଣି । ଦ୍ୱିତୀୟ ଲହରୀ ସଂକ୍ରମଣ ଭାରତରେ ମୃତ୍ୟୁର ତାଣ୍ଡବ ରଚିଛି । ବିଶେଷକରି କୋଭିଡ୍ ଲଢେଇରେ ଆଗରେ ଥିବା ଡାକ୍ତରଙ୍କ ଭଳି କୋଭିଡ୍ ଯୋଦ୍ଧାଙ୍କ ପାଇଁ ଏହି ମହାମାରୀ ଘାତକ ସାବ୍ୟସ୍ତ ହୋଇଛି । ସବୁ ମେଡିକାଲ କର୍ମଚାରୀଙ୍କ ପାଇଁ ଟିକାକରଣ ତ୍ୱରାନ୍ୱିତ କରାଯିବା ଦରକାର ବୋଲି ଆଇଏମ୍‌ଏ ସଭାପତି ଜେଏ.ଜୟଲାଲ କହିଛନ୍ତି ।

Comments are closed.