ନାରଦ ଷ୍ଟିଙ୍ଗ୍ ମାମଲା: ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଟିଏମ୍‌ସି ବିଧାୟକଙ୍କୁ ଜାମିନ

କୋଲକାତା: ନାରଦ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଗିରଫ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀଙ୍କ ସହ ତୃଣମୂଳ କଂଗ୍ରେସର ଜଣେ ବିଧାୟକଙ୍କୁ ଜାମିନ ମିଳିଛି । ଏହି ତିନି ଟିଏମ୍‌ସି ନେତାଙ୍କୁ କୋଲକାତାର ଏକ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ।

ଏକ ନାଟକୀୟ ଘଟଣା କ୍ରମରେ ସିବିଆଇ ଆଜି ଚାରି ବର୍ଷ ପୁରୁଣା ନାରଦ ଷ୍ଟିଙ୍ଗ୍ ମାମଲାରେ ଦୁଇ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ସୁବ୍ରତ ମୁଖାର୍ଜୀଙ୍କ ସମେତ ଟିଏମ୍‌ସି ବିଧାୟକ ମଦନ ମିତ୍ରାଙ୍କୁ ଗିରଫ କରିଥିଲା । ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଜି ଝଡ଼ ସୃଷ୍ଟି ହୋଇଥିଲା । ନିଜ ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତାଙ୍କ ସହ ନିଜାମ ପ୍ୟାଲେସ୍ ସ୍ଥିତ ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ଟିଏମ୍‌ସି ଅଭିଯୋଗ କରିଛି ଯେ, କେନ୍ଦ୍ରର ବିଜେପି ସରକାରର ନିର୍ଦ୍ଦେଶରେ ସିବିଆଇ ଏଭଳି କରୁଛି । ବିଧାନସଭା ନିର୍ବାଚନ ହାରିବା ପରେ ବିଜେପି ପ୍ରତିଶୋଧ ପରାୟଣ ହୋଇ ହୀନ ରାଜନୀତି କରୁଛି । ଟିଏମ୍‌ସିର ଏଭଳି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି ।
ସିବିଆଇ ଦ୍ୱାରା ଗିରଫ ହେବା ପରେ ଜାମିନ ପାଇଥିବା ଟିଏମ୍‌ସିର ତିନି ନେତା ୨୦୧୪ରେ ନାରଦ ନ୍ୟୁଜ୍ ନାମକ ଏକ ପୋର୍ଟାଲ ଦ୍ୱାରା ହୋଇଥିବା ଷ୍ଟିଙ୍ଗ୍ ଅପରେସନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ଏହି ଷ୍ଟିଙ୍ଗ୍‌ରେ ଦଳର ଆହୁରି ଅନେକ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ ନାମ ଉଠିଥିଲା ।

Comments are closed.