ଲ୍ୟାଣ୍ଡଫଲ୍ ପରେ ‘ତୌକତେ’ ଦୁର୍ବଳ, ଗୁଜରାଟରେ ୪ ମୃତ

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତୌକତେ’ ସୋମବାର ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ପରେ ଏହି ସାମୁଦ୍ରିକ ଝଡ଼ର ତୀବ୍ରତା ହ୍ରାସ ପାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ ସାମୁଦ୍ରିକ ଝଡ଼ ସ୍ତରକୁ ଆସିଯାଇଛି । ଏବେ ଘଣ୍ଟା ପ୍ରତି ପବନର ଗତି ମଧ୍ୟ ୧୧୫ରୁ ୧୪୦ କିଲୋମିଟକୁ ଖସିଆସିଛି ।

ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ ‘ତୌକତେ’ ଏବେ ଅହମ୍ମଦାବାଦରୁ ୨୩୦ କିଲୋମିଟର ଦକ୍ଷିଣରେ ଅଛି ଆଜି ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବ ।

‘ତୌକତେ’ ପ୍ରଭାବରେ ଗୁଜରାଟରେ ଏଯାବତ୍ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟାଇଛି ‘ତୌକତେ’ । ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପାଡି ପଡିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ମୋବାଇଲ ଟାୱାର ମଧ୍ୟ ଭାଙ୍ଗିପଡିଛି । ଏହାଛଡା ‘ତୌକତେ’ ପ୍ରଭାବରେ ତଳିଆ ଅଞ୍ଚଳ ଗୁଡିକରେ ପାଣି ପଶିଯାଇଥିବା ବେଳେ ଅନେକ କଚା ଘର ଭାଙ୍ଗିଯାଇଛି ।

ଏନ୍‌ଡିଆରଏଫ୍ ଓ ସେନା ପ୍ରଭାବିତ ଜିଲ୍ଲା ଗୁଡିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ‘ତୌକତେ’ ପ୍ରଭାବରେ ରାଜ୍ୟର ଗିର ସୋମନାଥ, ଅମ୍ରେଲି, ଭାବନଗର, ଭାଲସାଡ ଏବଂ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ହୋଇଥିବା ଏସ୍‌ଓଓସି ପକ୍ଷରୁ କୁହାଯାଇଛି । ଗିର ସୋମନାଥର ଉନାରେ ସର୍ବାଧିକ ୧୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Comments are closed.