ଛତ୍ରସାଲ ଷ୍ଟାଡିୟମ ହତ୍ୟା ମାମଲା: ସୁଶୀଲ କୁମାରଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ହତ୍ୟା ପରେ ଫେରାର ଥିବା ଡବଲ୍ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀର ରୋହିଣୀ କୋର୍ଟ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ସାଗର ରାଣାଙ୍କ ହତ୍ୟାରେ ରେସଲର ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପୂର୍ବରୁ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି।

ଅନ୍ୟପକ୍ଷେ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ପୁରସ୍କାର ଘୋଷଣା କରିଛି। ଛତ୍ରସାଲ ଷ୍ଟାଡିୟମରେ ସାଗର ରାଣାଙ୍କ ହତ୍ୟା ସମ୍ପର୍କରେ ରେସଲର ସୁଶୀଲ କୁମାରଙ୍କ ଗିରଫଦାରୀ ସମ୍ପର୍କରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ପୋଲିସ ସୋମବାର କହିଛି। ଏହା ବ୍ୟତୀତ ସୁଶୀଲଙ୍କ ସହ ଫେରାର ଥିବା ଅଜୟଙ୍କ ଉପରେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ରଖିଛି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା।

Comments are closed.