ପ୍ରଶାନ୍ତ ରଘୁନାଥ ମହାପାତ୍ର : ଦକ୍ଷ କ୍ରିକେଟର, ଅଂପାୟର ଓ ମ୍ୟାଚ୍ ରେଫରୀ

ଭୁବନେଶ୍ୱର- ବାପା ରଘୁନାଥ ଯେମିତି ଭାସ୍କର୍ଯ୍ୟ କଳାରେ ଖ୍ୟାତି ହାସଲ କରିଥିଲେ, ପୁଅ ପ୍ରଶାନ୍ତ ରଘୁନାଥ ମହାପାତ୍ର କ୍ରିକେଟ୍ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ । ୧୯୭୩ ମସିହାରେ ଜନ୍ମ ଗ୍ରହଣ କରିଥିବା ପ୍ରଶାନ୍ତ ୧୯୯୦ ମସିହାରେ ଓଡିଶା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ଥିଲେ ଜଣେ ଡାହାଣହାତୀ ବ୍ୟାଟସମ୍ୟାନ୍ ।

୧୯୯୦ ମସିହାରେ ବିହାର ବିପକ୍ଷରେ ପ୍ରଥମ ରଣଜୀ ଟ୍ରଫି ମ୍ୟାଚ ଖେଳିଥିଲେ ପ୍ରଶାନ୍ତ । ସେ ପୂର୍ବାଂଚଳ ପାଇଁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫିରେ ବି ଖେଳିଥିଲେ । ମୋଟ ୪୫ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୫ଟି ଶତକ ଓ ୧୧ଟି ଅର୍ଦ୍ଧ ଶତକ ସହ ମୋଟ ୨ ହଜାର ୧୯୬ ରନ୍ ସ୍କୋର କରିଥିଲେ ପ୍ରଶାନ୍ତ । ୧୫୭ ନଟ୍ ଆଉଟ ଥିଲା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ପ୍ରଶାନ୍ତ ମୋଟ ୧୭ଟି ଲିଷ୍ଟ ଏ ମ୍ୟାଚ୍ ବି ଖେଳିଥିଲେ । ସେ ୨୬୧ ରନ୍ କରିଥିଲେ । ଲିଷ୍ଟ୍ ଏ ରେ ପ୍ରଶାନ୍ତଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ଅପରାଜିତ ୪୯ ରନ୍ । ୧୯୯୦-୯୧ରୁ ୨୦୦୨-୦୩ ଯାଏଁ କ୍ରିକେଟ ଖେଳିଥିଲେ ପ୍ରଶାନ୍ତ ।

ଖେଳରୁ ଅବସର ନେଲା ପରେ ପ୍ରଶାନ୍ତ ବିସିସିଆଇ ଅଂପାୟର ଓ ମ୍ୟାଚ ରେଫରୀ ଭାବେ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ଅଫିସିଏଟ କରିଥିଲେ । ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ଏହି ବର୍ଷ ଜାନୁଆରୀ ୨୧ତାରିଖରେ ଖେଳାଯାଇଥିବା ଗୋଆ ବନାମ ବିଦର୍ଭ ମ୍ୟାଚରେ ମ୍ୟାଚ୍ ରେଫରୀ ଥିଲେ ପ୍ରଶାନ୍ତ ।

Comments are closed.