ନାରଦ ସ୍କାମ୍‌: ଚାରି ଟିଏମ୍‌ସି ନେତାଙ୍କୁ ଗୃହବନ୍ଦୀ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ନାରଦ ସ୍କାମ୍‌: ଚାରି ଟିଏମ୍‌ସି ନେତାଙ୍କୁ ଗୃହବନ୍ଦୀ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ନାରଦ ସ୍କାମ୍‌ରେ ନିକଟରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଚାରି ନେତାଙ୍କୁ ଗୃହବନ୍ଦୀ ରଖିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମତା ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀ ଫିରହଦ ହାକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ବ୍ୟତୀତ ଦୁଇ ବିଧାୟକ ମଦନ ମିତ୍ର ଏବଂ ଶୋଭନ ଚାଟାର୍ଜୀଙ୍କୁ ଏହି ମାମଲାରେ ସିବିଆଇ ଗିରଫ କରିଥିଲା ।

ଆଜି କଲିକତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଗୃହବନ୍ଦୀ ଆଦେଶ ଉପରେ ସ୍ଥଗିତାଦେଶ ପାଇଁ ଗିରଫ ନେତାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଅଭିଷେକ ମନୁ ସଂଘଭି ଅନୁରୋଧ କରିଥିଲେ । ହେଲେ କୋର୍ଟ ମନା କରିଥିଲେ ।

ଅନ୍ୟପଟେ ସିବିଆଇ ନାରଦ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛି । ପଶ୍ଚିମବଙ୍ଗ ସରକାର ଏହି ମାମଲାର ଶୁଣାଣିକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି । ଟିଏମ୍‌ସି ନେତାଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସମର୍ଥକ ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିପାଇଁ ଅଭିଯୁକ୍ତ ନେତାଙ୍କୁ କୋର୍ଟରେ ହାଜର କରାଯାଇ ପାରିନଥିଲା ବୋଲି କହିଛି ସିବିଆଇ ।