ଉତ୍ତର ପ୍ରଦେଶ: କରୋନା ନିୟମ ଭାଙ୍ଗିବା ନେଇ ପୋଲିସ୍ ମାଡ଼ରେ ନାବାଳକର ମୃତ୍ୟୁ

ଲକ୍ଷ୍ନୌ: କରୋନା କର୍ଫ୍ୟୁ ଉଲ୍ଲଂଘନ କରିବାରୁ ପୋଲିସ ମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଥିବା ଏହି ଘଟଣା ପାଇଁ ଦୁଇ ପୋଲିସ୍ କନଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣେ ହୋମ୍‌ଗାର୍ଡକୁ ବହିଷ୍କୃତ କରାଯାଇଛି ।

ଉନ୍ନାଓ ଜିଲ୍ଲାର ବାଙ୍ଗାରମାଉ ସହରର ଜଣେ ୧୭ ବର୍ଷୀୟ ବାଳକ ନିଜ ଘର ବାହାରେ ପରିବା ବିକୁଥିଲେ । କରୋନା କର୍ଫ୍ୟୁ ସମୟରେ ପରିବା ବିକୁଥିବାରୁ ପୋଲିସ୍ ତାକୁ ଉଠାଇ ହାଜତକୁ ନେଇଥିଲା । ସେଠାରେ ପୋଲିସ ତାକୁ ନିସ୍ତୁକ ପିଟିଥିଲା । ବାଳକର ଅବସ୍ଥା ଗୁରୁତର ହେବାରୁ ତାକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାର ମୃତ୍ୟୁ ହୋଇଥିଲା ବୋଲି ମୃତ ବାଳକର ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକ ଲକ୍ଷ୍ନୌକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଥିଲେ । ସେମାନେ ମୃତ ବାଳକର ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବା ସହ କ୍ଷତିପୂରଣ ଦାବି କରିଥିଲେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ମେ ୨୪ ସକାଳ ୭ଟା ଯାଏଁ କରୋନ କର୍ଫ୍ୟୁ ଲାଗୁ କରିଛନ୍ତି ।

Comments are closed.