କରେନା ସଙ୍କଟ କାଳରେ ଅଧିକ ନିରାଶାଜନକ ଖବର ଶୁଣିବାକୁ ମିଳୁଥିବା ବେଳେ ମଝିରେ ମଝିରେ କିଛି ଆଶ୍ୱସ୍ତ କରିଦେବା ଭଳି ତଥା ସକରାତ୍ମକ ଭାବନା ସୃଷ୍ଟି କରିବା ଭଳି ଖବର ମଧ୍ୟ ଆସୁଛି। ଏମିତି ଏକ ଖବର ବ୍ରହ୍ମପୁର ଜନନା ହସ୍ପିଟାଲରେ ଚାଲିଥିବା ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର (ଡିସିଏଚସି) ରୁ ଆସିଛି। କିଛି ଦିନ ତଳେ କରୋନା ସଂକ୍ରମିତ ହୋଇ ଶଙ୍କର ଦାସ ନାମକ ଜଣେ ଯୁବକ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଡମିଶନ୍ ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା। ହେଲେ ରବିବାର ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରବିବାର ଥିଲା ଏକ ଖାସ୍ ଦିବସ, ଶଙ୍କରଙ୍କ ଜନ୍ମଦିନ। ପରିବେଶର ଗମ୍ଭୀରତାକୁ ଏଡାଇ ମନରେ ପ୍ରଫୁଲ୍ଲ ଭରିବା ପାଇଁ ହସ୍ପିଟାଲ୍ ଷ୍ଟାଫ୍ ଏହି କୋଭିଡ୍ ପଜିଟିଭଙ୍କ ସହ ମିଶି ତାଙ୍କ ଜନ୍ମଦିନ ପାଳିଥିଲେ। କେକ୍ କାଟିବା ସହ କୋଭିଡ୍ ହେଲଥ୍ ସେଣ୍ଟରରୁ ଡିସଚାର୍ଜ ବେଳେ ତାଙ୍କ ଆରୋଗ୍ୟମୟ ଜୀବନ କାମନା କରିଥିଲେ।
ଯେତେବେଳେ ଜନାନା ହସ୍ପିଟାଲ ଡିସିଏଚସିରେ ଶଙ୍କର ଦାସ ଭର୍ତ୍ତି ହୋଇଥିଲେ, ତାଙ୍କ ଅବସ୍ଥା ବିଶେଷ ଭଲ ନଥିଲା। ହେଲେ ଡାକ୍ତର ଓ ନର୍ସଙ୍କ ନିଷ୍ଠାପର ସେବା, ଉତ୍ତମ ଚିକିତ୍ସା ଫଳରେ ହାତଗଣତି କେଇ ଦିନରେ ଶଙ୍କରଙ୍କ ସ୍ଵାସ୍ଥ୍ୟବସ୍ଥାରେ ବେଶ୍ ସୁଧାର ଦେଖାଦେଇଥିଲା। ଏବେ ତାଙ୍କ ଶରୀରରେ ଅମ୍ଲଜାନ ସ୍ତର ୯୫ – ୯୬ ପ୍ରତିଶତ ରହୁଛି। ଧିରେ ଧିରେ ସୁସ୍ଥ ହେବା ପରେ ତାଙ୍କୁ ରବିବାର ଘରକୁ ଫେରିବାକୁ କୁହାଯାଇଥିଲା। ତେବେ ତା ପୂର୍ବରୁ ମେ ୨୩ ଶଙ୍କରଙ୍କ ଜନ୍ମଦିନ ବୋଲି ଜାଣିପାରିଥିଲେ ହସପିଟାଲର ଡାକ୍ତର ଓ ନର୍ସ। ଆଉ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନଥିଲେ। ଗୁରୁଗମ୍ଭୀର ପରିବେଶକୁ ହାଲୁକା କରିବା ସହ ଆରୋଗ୍ୟ ଲାଭ ପରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ଶଙ୍କରଙ୍କ ପାଇଁ ସ୍ଵତନ୍ତ୍ର ଏହି ଦିନରେ ତାଙ୍କ ହସଖୁସିରେ ସାମିଲ ହୋଇଯାଇଥିଲେ ହସପିଟାଲ ଷ୍ଟାଫ୍। ପାଲଟି ଯାଇଥିଲେ ଶଙ୍କରଙ୍କ ପରିବାର ସଦସ୍ୟ। କେକ୍ ମଗାଇ କାଟିଥିଲେ, ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ବେଶ୍ ବିହ୍ବଳିତ ହୋଇ ପଡିଥିଲେ ଶଙ୍କର।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏହି ଖୁସି ଖବର ଟ୍ବିଟର୍ ଜରିଆରେ ସେୟାର କରିଛନ୍ତି। ଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସେ ସୁସ୍ଥ ହୋଇଛନ୍ତି। ଡିସିଏଚସି ଷ୍ଟାଫଙ୍କ ତରଫରୁ ସ୍ନେହର ଛୋଟିଆ ଉପହାରଟିଏ ବୋଲି ଉଲ୍ଲେଖ କରିଛନ୍ତି। ଜଣେ କୋଭିଡ୍ ପଜିଟିଭ୍ ଉପଯୁକ୍ତ ଚିକିତ୍ସା ପାଇ ଆରୋଗ୍ୟ ଲାଭ କରି ଜନ୍ମଦିନରେ ଘରକୁ ଫେରିବା ଘଟଣା ବେଶ୍ ଚର୍ଚ୍ଚିତ ହୋଇଛି। ତେବେ ଏହା ପ୍ରଥମ ଖବର ନୁହେଁ, ନିଜ ଜୀବନକୁ ଅନେକ ସମୟରେ ସଙ୍କଟାପନ୍ନ କରି, କରୋନା ମହାମାରୀ ସଂକ୍ରମଣ ଆଶଙ୍କା ସତ୍ତ୍ବେ ରୋଗୀଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ନିଜ କର୍ତ୍ତବ୍ୟ ନିଷ୍ଠାପର ଭାବେ ସମ୍ପାଦନ କରି ଆସୁଛନ୍ତି ଆଗଧାଡିର କୋଭିଡ୍ ଯୋଦ୍ଧାଗଣ। ଦିନରାତି ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି ସେମାନଙ୍କୁ। ଆଉ ଏହି ପରିଶ୍ରମ ମଧ୍ୟରେ ଖୁସିର ଛୋଟ ସୁଯୋଗଟିଏ ମିଳିଗଲେ ବି ସେମାନଙ୍କ ମନ ଆନନ୍ଦିତ ହୋଇ ଉଠୁଛି।
ଗତ ସପ୍ତାହରେ ପାତ୍ରପୁର ଡାକ୍ତରଖାନାରେ କୋଭିଡ୍ ଯୋଦ୍ଧାମାନେ ଜନ୍ମ ଦିନ ପାଳି ଖୁସିର କିଛି ମୁହୂର୍ତ୍ତ ବିତାଇଥିଲେ। ଏଇ ଉପାନ୍ତ, ସୀମାବର୍ତ୍ତୀ ଅଞ୍ଚଳରେ ଚିକିତ୍ସା କରି ଅନେକ କୋଭିଡ୍ ରୋଗୀଙ୍କୁ ସୁସ୍ଥ କରିପାରିଥିବା ଡାକ୍ତର, ନର୍ସମାନେ ଏଭଳି କରି ନିଜ ମନୋବଳକୁ ଉଚ୍ଚା ରଖିବା ସହ ଥକ୍କା ପଣ, କଠୋର ପରିଶ୍ରମକୁ ଭୁଲି ପରସ୍ପର ସାଙ୍ଗରେ କିଛି କ୍ଷଣ ଆନନ୍ଦର ସମୟ ବିତାଇଥିଲେ। ଆହୁରି ମଧ୍ୟ ବ୍ରହ୍ମପୁର ସିଟି ହସପିଟାଲରେ ଏକାସାଙ୍ଗରେ ଏଚଆଇଭି ସହ କରୋନା ସଂକ୍ରମିତ ଜଣେ ମହିଳା ସୁସ୍ଥ ଶିଶୁଟିଏ ଜନ୍ମ ଦେବା ପରେ କେକ୍ କାଟି ଆନନ୍ଦର ପରିବେଶ ସୃଷ୍ଟି କରିଥିଲେ ଡାକ୍ତର ଓ ନର୍ସଗଣ। ବାସ୍ତବରେ ଅନ୍ୟର ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବିପନ୍ନ କରୁଥିବା ଏଇ ସମ୍ମୁଖ ଯୋଦ୍ଧାଙ୍କୁ ସାଲ୍ୟୁଟ୍।
Comments are closed.