ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍: ଭିମସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଡାକ୍ତର , ନର୍ସ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଲେ | News Room Odisha

ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍: ଭିମସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଡାକ୍ତର , ନର୍ସ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଲେ

ସମ୍ବଲପୁର : କୋଭିଡ୍ ମୁକାବିଲାରେ ଡାକ୍ତରଙ୍କ ସମେତ ସମସ୍ତ ସାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଆଉ ସରକାର ଏଥିପାଇଁ ସବୁ ପ୍ରକାର ଭିତ୍ତିଭୂମି ବ୍ୟବସ୍ଥା କରୁଛନ୍ତି । ତେବେ , ମୋ ସରକାର ପକ୍ଷରୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତୀୟ ସୁବିଧା ଅସୁବିଧା ପାଇଁ କରାଯାଇଥିବା ଫିଡ୍‌ବ୍ୟାକୁ ଅନୁଧ୍ୟାନରେ ବୁର୍ଲା ଭିମସାରର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିବା ନେଇ ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିମସାର କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ପ୍ରଶଂସା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସତନ୍ତ୍ର ସଚିବ ଆର୍ . ଭିନିଲ୍ କ୍ରୀଷ୍ଣା ଗତକାଲି ରାତିରେ ଫୋନ୍ କରି ଭିମସାର ଡିନ୍ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ସୂଚନା ଦେଇଛନ୍ତି ।

ରାଜ୍ୟର ସମସ୍ତ କୋଭିଡ୍ ହସପିଟାଲରେ ବର୍ତ୍ତମାନ ଚାଲିଥିବା ଚିକିତ୍ସା ସଂପର୍କିତ ସୁବିଧା ଅସୁବିଧା ନେଇ ମୋ ସରକାର ତରଫରୁ ଫିଡବ୍ୟାକ୍ ସଂଗ୍ରହ କରାଯାଉଛି । କୋଭିଡରୁ ଆରୋଗ୍ୟ ଲାଭ କରି ଫେରିଥିବା ରୋଗୀ ଏବଂ ସେମାନଙ୍କ ପରିଜନଙ୍କ ଠାରୁ ଫୋନ୍ କଲ୍ ମାଧ୍ୟମରେ ସର୍ଭେ କରାଯାଉଛି । ମୋ ସରକାର ଅଧୀନରେ ଚାଲିଥିବା ଏହି ସର୍ଭେରେ ଭିମସାର ଅତି ଭଲ ପ୍ରଦର୍ଶନ କରିଥିବା ଜଣାପଡିଛି । ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିମସାରର ଡିନ୍ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଫୋନ୍ ଯୋଗେ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସତନ୍ତ୍ର ସଚିବ ଆର୍ . ଭିନିଲ୍ କ୍ରୀଷ୍ଣା ଗତକାଲି ପ୍ରଫେସର ଦୋରାଙ୍କୁ ଫୋନ୍ କରି ଏହି ସର୍ଭେର ଫଳାଫଳ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ବି ଜଣାଇଥିଲେ । ଏଥିରେ ଡାକ୍ତର , ନର୍ସଙ୍କ ସମେତ ସମସ୍ତ କର୍ମଚାରୀ ସାଧୁବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ଏଭଳି ଉତ୍ତମ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଭିମସାରର କୌଣସି ସୁବିଧା ଅସୁବିଧା ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟିକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ଭିନିଲ୍ କ୍ରୀଷ୍ଠା ସୂଚନା ଦେଇଛନ୍ତି ।

ଏହାଛଡା ଭିମସାରର ବିଭିନ୍ନ ସୁବିଧା ଅସୁବିଧା ନେଇ ବି ପ୍ରଫେସର ଦୋରାଙ୍କ ଠାରୁ ଭିନିଲ୍ କ୍ରୀଷ୍ଠା ପଚାରି ବୁଝିଥିଲେ । ଏହି ଅବସରରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ୍ ଏବଂ ଅନ୍ୟ ଆନୁସଙ୍ଗି ସୁବିଧା ନେଇ ପ୍ରଫେସର ଦୋରା ଭିନିଲଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ , ମୋ ସରକାର ଅଧୀନରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ସଂକ୍ରାନ୍ତରେ ମତାମତ ସଂଗ୍ରହ କରାଯାଇ ଚିକିତ୍ସା ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଦିଗରେ ପଦକ୍ଷେପ ନିଆଯାଉଛି ।

ସେପଟେ , ଭିମସାରରେ ଇତିମଧ୍ୟରେ ଦ୍ବିତୀୟ କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହେବା ଦ୍ଵାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି । ପୁଣି ଅକ୍ସିଜେନ୍ ସମସ୍ୟାର ସମାଧାନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ କାମ ବି ଶେଷ ହେବ ବୋଲି ଜଣାପଡିଛି ।

Chief Minister Naveen PatnaikCOVID-19OdishaVIMSAR