ପତଞ୍ଜଳି ଦୁଗ୍ଧ ବିଭାଗର ମୁଖ୍ୟଙ୍କ କରୋନାରେ ମୃତ୍ୟୁ, ଏଲୋପାଥି ଚିକିତ୍ସା ଗ୍ରହଣ କରୁଥିଲେ

ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧ ବିଭାଗ ମୁଖ୍ୟ ସୁନୀଲ ବଂଶଲଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ବଂଶଲଙ୍କ ଏଲୋପାଥି ଚିକିତ୍ସାରେ ପତଞ୍ଜଳିର କୌଣସି ଭୂମିକା ନଥିଲା ବୋଲି ଏହି ଆୟୁର୍ବେଦ କମ୍ପାନୀ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।

ବଂଶଲ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ଦୁଗ୍ଧ ବିଭାଗର ଉପାଧ୍ୟକ୍ଷ ଥିଲେ । ଗାଈକ୍ଷୀର, ଛେନା, ଦହି ଭଳି ଦୁଗ୍ଧ ଜାତୀୟ ଉତ୍ପାଦ ବିକ୍ରି ନେଇ ପତଞ୍ଜଳି ନିଜ ଯୋଜନା ସମ୍ପର୍କରେ ଘୋଷଣା କରିବା ପରେ ଜାନୁୟାରୀ ୨୦୧୮ରେ ବଂଶଲ ଏହି କମ୍ପାନୀରେ ଯୋଗ ଦେଇ ଦୁଗ୍ଧ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ ।

ପତଞ୍ଜଳି କହିଛି ଯେ, କରୋନା ଯୋଗୁଁ ବଂଶଲଙ୍କ ମେ ୧୯ରେ ଜୟପୁରର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଫିସର ।

ବଂଶଲଙ୍କ ମୃତ୍ୟୁ ଏପରି ଏକ ସମୟରେ ହୋଇଛି ଯେତେବେଳେ କି ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ଦେଇ ରାମଦେବ ବିବାଦୀୟ ହୋଇଛନ୍ତି । ବଂଶଲଙ୍କ ମୃତ୍ୟୁ ନେଇ ପତଞ୍ଜଳିର ବିବୃତିରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ପତଞ୍ଜଳି କହିଛି ଯେ, ଏଲେପାଥି ଚିକିତ୍ସା ଗ୍ରହଣ କରୁଥିଲେ ମଧ୍ୟ ଆମର ଏଥିରେ କୌଣସି ଭୂମିକା ନଥିଲା । ବଂଶଲଙ୍କ ପତ୍ନୀ ତାଙ୍କ ଚିିକିତ୍ସା କଥା ବୁଝୁଥିଲେ । ଆମେ ଏନେଇ ଚିନ୍ତିତ ଥିଲୁ ଏବଂ ବଂଶଲଙ୍କ ପତ୍ନୀଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝୁଥିଲୁ ।

ଉଲ୍ଲେଖଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ବିରୋଧରେ ରାମଦେବଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ଏଲୋପାଥି ଔଷଧ ଯୋଗୁଁ ଲକ୍ଷ ଲକ୍ଷ କୋଭିଡ୍ ରୋଗୀଙ୍କ ଜୀବନ ଯାଇଛି ବୋଲି ରାମଦେବ କହିଥିଲେ । ରାମଦେବଙ୍କ ଏଭଳି ମନ୍ତବ୍ୟ ଉପରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ଆପତ୍ତି ଉଠାଇଥିଲା ଏବଂ ଏହି ଯୋଗଗୁରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା । ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଥିରେ ହସ୍ତକ୍ଷେପ କରି ରାମଦେବଙ୍କୁ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ହର୍ଷ ବର୍ଦ୍ଧନଙ୍କ ଚିଠି ପରେ ଏଲୋପାଥି ଉପରେ ନିଜ ମନ୍ତବ୍ୟ ସେ ପ୍ରତ୍ୟାହାର କରିଛନ୍ତି ବୋଲି ରାମଦେବ ଟ୍ୱିଟ୍ କରି କହିଥିଲେ ।

Comments are closed.