ସୁବୋଧ କୁମାର ଜୈସୱାଲ ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜୈସୱାଲ ଦୁଇ ବର୍ଷ ପାଇଁ ଏହି ହାଇ ପ୍ରୋଫାଇଲ୍ ପଦରେ ରହିବେ। ସେ ଏହା ପୂର୍ବରୁ ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ ଥିଲେ । ସମ୍ପ୍ରତି ଜୈସୱାଲ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍)ର ମହାନିର୍ଦ୍ଦେଶକ ଅଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀରେ ଋଷି କୁମାର ଶୁକ୍ଲାଙ୍କ ଅବସର ପରେ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ସମ୍ପ୍ରତି ସିବିଆଇ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି।

ସୋମବାର ସିବିଆଇର ନୂଆ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କମିଟିର ଅନ୍ୟ ଦୁଇଜଣ ସଦସ୍ୟ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ର ମହାନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ, ସଶସ୍ତ୍ର ସୀମା ସୁରକ୍ଷା ବଳ (ଏସଏସବି) ର ମହାନିର୍ଦ୍ଦେଶକ କୁମାର ରାଜେଶ ଚନ୍ଦ୍ର ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ୍ କୌମୁଦିଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା।

Comments are closed.