କୃଷି ଆଇନ ବିରୋଧରେ ଚାଷୀଙ୍କ କଳା ଦିବସ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଜାଳିଲେ, କଳା ପତାକା ଉତ୍ତୋଳନ କଲେ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ ଚାଷୀମାନେ କଳା ଦିବସ ପାଳନ କରିଛନ୍ତି । ଏହି ଅବସରରେ ହରିୟାଣା ଓ ପଞ୍ଜାବର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଭିନ୍ନ ଘର ଓ ଯାନ ବାହାନରେ କଳା ପତ୍ତାକା ଲଗାଇଛନ୍ତି । ଅନେକ ମହିଳା ଓ ଯୁବକ ମଧ୍ୟ ଚାଷୀଙ୍କ ସହ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

କୃଷକ ସଂଘ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଆହ୍ୱାନ କ୍ରମେ ଚାଷୀମାନେ କୃଷି ଆଇନ ବିରୋଧରେ ଆଜି କଳା ଦିବସ ପାଳନ କରିଛନ୍ତି । କେନ୍ଦ୍ରର ତିନି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଗତ ୬ ମାସ ଧରି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନର ଅନେକ ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରିଆସୁଛନ୍ତି ।

ଆଜି ଚାଷୀ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ ପଞ୍ଜାବର ପାଣ୍ଢର କାଲାନ ଓ ଛାବା ଗାଁରେ ଚାଷୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ କେନ୍ଦ୍ରର ବିଜେପି ଶାସିତ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାଛଡ଼ା ସେମାନେ ସବୁ ଘର, ଦୋକାନ, ଗାଡ଼ି, ମଟରରେ କଳା ପତାକା ଲଗାଇଥିଲେ । ଚାଷୀମାନେ ନିଜେ କଳା ପଗଡ଼ି ଓ ପୋଷାକ ପରିଧାନ କରିଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା କିସାନ ମଜଦୁର ସଂଘର୍ଷ କମିଟିର ସମ୍ପାଦକ ଶ୍ରବଣ ସିଂ ପାନ୍ଧେର କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ଛଡ଼ା ଆମେ ଆଉ କିଛି ପ୍ରତିଶ୍ରୁତି ଚାହୁଁନାହୁଁ । ସରକାର ଚାଷ ସମ୍ବନ୍ଧୀୟ ଇଲେକ୍ଟ୍ରିସିଟି ଆଇନ ମଧ୍ୟ ରଦ୍ଦ କରନ୍ତୁ ଏବଂ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ନେଇ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେ କହିଛନ୍ତି ।

ହରିୟାଣାରେ ମଧ୍ୟ ଚାଷୀଙ୍କ ଦ୍ୱାରା କଳା ଦିବସ ପାଳନ କରାଯାଇଛି । ଭାରତୀୟ କିଷାନ ୟୁନିୟନ (ଚଦୁନୀ)ର ଗୁରନାମ ସିଂ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ଚାଷୀଙ୍କ ଦାବି ମାନୁ ନାହାନ୍ତି । ଆଗାମୀ ଦିନରେ ଆମେ ଆମର ଆନ୍ଦୋଳନକୁ ଆହୁରି ଜୋରଦାର କରିବୁ ।

Comments are closed.