କେନ୍ଦ୍ର ଉପରେ ବର୍ଷିଲେ ମମତା: ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଅପମାନ ସହିପାରିବି ନାହିଁ

କୋଲକାତା: ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଛି । ତାଙ୍କ ବିରୋଧରେ ଗଣମାଧ୍ୟକୁ ଏକତରଫା ଖବର ଦିଆଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ଲୋକଙ୍କ କଲ୍ୟାଣ ପାଇଁ ଯଦି ପ୍ରଧାନମନ୍ତ୍ରୀ ମୋତେ ପାଦ ଛୁଇଁବାକୁ କହନ୍ତି, ତେବେ ଏଥିପାଇଁ ମୁଁ ପ୍ରସ୍ତୁତ । କିନ୍ତୁ ତାଙ୍କ ପ୍ରତି ହେଉଥିବା ଅପମାନ ସେ ସହିପାରିବେ ନାହିଁ ବୋଲି ମମତା କହିଛନ୍ତି ।

ବାତ୍ୟା ସମୀକ୍ଷା ବୈଠକ କେବଳ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାର ଥିଲା । ହେଲେ ଏହି ବୈଠକକୁ ବିଜେପି ନେତା ଓ ରାଜ୍ୟପାଳଙ୍କୁ କାହିଁକି ଆମନ୍ତ୍ରଣ କରାଯାଇଥିଲା ବୋଲି ମମତା ପ୍ରଶ୍ନ କରିଛନ୍ତି ।

ମୋତେ ଏପରି ଅପମାନିତ କର ନାହିଁ । ନିର୍ବାଚନରେ ଆମର ବିପୁଳ ବିଜୟକୁ ବିରୋଧୀ ଦଳ ହଜମ କରିପାରୁ ନାହିଁ । ବୋଧହୁଏ ଏଥିପାଇଁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆଚରଣ କରୁଛନ୍ତି ବୋଲି ମମତା କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବିଳମ୍ବରେ ପହଞ୍ଚିବା ଓ ସେଠାରୁ ଶୀଘ୍ର ପଳାଇଯିବା ନେଇ ଏହି ଅଗ୍ନିବର୍ଷୀ ନେତ୍ରୀ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ମୋର କାର୍ଯ୍ୟକ୍ରମ ଆଗରୁ ସ୍ଥିର ହୋଇଥିଲା । ପ୍ରଧାନମନ୍ତ୍ରୀ ଆସୁଛନ୍ତି ବୋଲି ମଧ୍ୟ ତାଙ୍କୁ ବିଳମ୍ବରେ ସୂଚନା ଦିଆଯାଇଥିଲା । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବାତ୍ୟା ଜନିତ କ୍ଷୟକ୍ଷତି ସମୀକ୍ଷା ବାହାନାରେ ପ୍ରଧାନମନ୍ତ୍ରୀ ଏହି ବୈଠକ ତାଙ୍କୁ ଅପମାନିତ କରିବାକୁ ଡକାଇଥିଲେ । ଏଥିପାଇଁ ଏହି ବୈଠକକୁ ବିଜେପିର ନେତା ଏବଂ ରାଜ୍ୟପାଳଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ସେ ଅଧଘଣ୍ଟା ଅପେକ୍ଷା କରାଇଥିବା ଅଭିଯୋଗ ଉପରେ ମଧ୍ୟ ମୁହଁ ଖୋଲିଛନ୍ତି ମମତା । ସେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇନଥିଲେ । ବରଂ ତାଙ୍କୁ ୨୦ ମିନିଟ୍ କାଳ ଅପେକ୍ଷା କରିବାକୁ ପଡିଥିଲା । ବୈଠକକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚି ଯାଇଥିଲେ ଏବଂ ସେଠାରେ ବିଜେପି ନେତା ଓ ଗଭର୍ଣ୍ଣରଙ୍କ ସହ ସେ ଆଲୋଚନା କରୁଥିଲେ । ଆମେ ସେଠାରେ ପହଞ୍ଚିବା ପରେ ଆମକୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା । ପରେ ଆମକୁ କୁହାଯାଇଥିଲା ଯେ, ବୈଠକ କନଫରେନ୍ସ ହଲକୁ ସ୍ଥାନାନ୍ତର କରାଯାଇଛି । ତେଣୁ ମୁଁ ଓ ମୁଖ୍ୟ ସଚିବ ସେଠାକୁ ଯାଇଥିଲୁ । ଏହି ବୈଠକ କେବଳ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବା କଥା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ସେଠାରେ ବିଜେପି ବିଧାୟକ, କେନ୍ଦ୍ରୀୟ ନେତା ଓ ରାଜ୍ୟପାଳ ଥିଲେ । ଏହା ପରମ୍ପରାର ଉଲ୍ଲଂଘନ ବୋଲି ମମତା କହିଛନ୍ତି ।

ଗତକାଲି ହଠାତ୍ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପାନ ବନ୍ଦୋପାଧ୍ୟାୟକୁ କେନ୍ଦ୍ରକୁ ବଦଳି କରାଯିବା ଉପରେ ମମତା କହିଛନ୍ତି ଯେ, କେନ୍ଦ୍ରର ଲଢ଼େଇ ମୋ ସହ ଅଟେ, ମୋର ଅଧିକାରୀଙ୍କ ସହ ନୁହେଁ ବୋଲି ମମତା କହିଛନ୍ତି । ଏହାଛଡ଼ା ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟଙ୍କ ବଦଳି ଆଦେଶକୁ ବାତିଲ କରାଯାଉ ବୋଲି ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

Comments are closed.