କେନ୍ଦ୍ରର ଘୋଷଣା: କରୋନା ପାଇଁ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଶିକ୍ଷା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଯୋଗୁଁ ଭାରତରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଏପରି ଅସହାୟ ପିଲାଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । କୋଭିଡ୍ କାରଣରୁ ଅନାଥ ହୋଇଥିବା ପିଲାମାନଙ୍କୁ ପିଏମ୍ କେୟାର୍ସ ୍ ଅଧୀନରେ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାର ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କୋଭିଡ୍ ମହାମାରୀରେ ନିଜ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ବୟସ ପରେ ପାଠପଢ଼ା ଖର୍ଚ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ମାସିକ ଭତ୍ତା ଦିଆଯିବ । ୨୩ ବର୍ଷ ବୟସ ପରେ ଏହି ପିଲାମାନଙ୍କୁ ପିଏମ୍ କେୟାର୍ସ କର୍ପସ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ଅନାଥ ପିଲାଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରିବେ ସରକାର । ଉଚ୍ଚ ଶିକ୍ଷା ନିମନ୍ତେ ସେମାନଙ୍କୁ ଲୋନ୍ ଦିଆଯିବ ଏବଂ ଏହାର ପରିଶୋଧ ପିଏମ୍ କେୟାର୍ସ ପାଣ୍ଠିରୁ ହେବ । ଏହାଛଡ଼ା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ପର୍ଯ୍ୟନ୍ତ ଏହି ପିଲାମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କରାଯିବ । ଏହି ସ୍ୱାସ୍ଥ୍ୟବୀମାର ପ୍ରିମିୟମ ମଧ୍ୟ ସରକାର ଭରିବେ ।

ଦଶ ବର୍ଷରୁ କମ୍ ବର୍ଷର ଅନାଥ ପିଲାଙ୍କୁ ନିକଟବର୍ତ୍ତୀ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ୍ କରାଯିବ । ୧୧ରୁ ୧୮ ବର୍ଷର ପିଲାଙ୍କୁ ସୈନିକ ସ୍କୁଲ ଓ ନବୋଦ୍ୟୋୟ ବିଦ୍ୟାଳୟ ଭଳି କେନ୍ଦ୍ରୀୟ ଆବାସିକ ସ୍କୁଲରେ ନାମାଙ୍କନ କରାଯିବ ।

ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, କୋଭିଡ୍‌-୧୯ ଯୋଗୁଁ ଦେଶରେ ଏଯାବତ୍ ୫୭୭ ଶିଶୁ ଅନାଥ ହୋଇଛନ୍ତି ।

Comments are closed.