ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ, ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି ।

ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ସେ ତିନି ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତା ବିଳମ୍ବରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଥିଲା । ସେହିଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଲପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ବଦଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତାଙ୍କୁ ଦୁଇଦିନ ମଧ୍ୟରେ ଅର୍ଥାତ ଆଜି କେନ୍ଦ୍ର ସରକାରଙ୍କ ପର୍ସନାଲ ଆଣ୍ଡ୍ ଟ୍ରେନିଂ ବିଭାଗରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବନ୍ଦୋପାଧ୍ୟାୟଙ୍କୁ ସେ ରିଲିଭ୍ କରିପାରିବେ ନାହିଁ ମମତା ଆଜି ସକାଳେ କେନ୍ଦ୍ରକୁ ଚିଠି ଲେଖି ଜଣାଇଥିଲେ । ବନ୍ଦୋପାଧ୍ୟାୟଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

ବନ୍ଦୋପାଧ୍ୟାୟଙ୍କ ଅବସର ପରେ ଏଚକେ ଦ୍ବିବେଦୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

 

Comments are closed.