ବିଦେଶରୁ ଟିକା ଆଣିବା ପାଇଁ ତତ୍ପରତା, ଫାଇଜର ଓ ମଡେର୍ଣ୍ଣାକୁ ଆଇନଗତ ସୁରକ୍ଷା ଦେବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତରେ ଟିକା ଅଭାବ ଯୋଗୁଁ ଧିମେଇ ଯାଇଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଦେଶରୁ ଫାଇଜର ଓ ମଡେର୍ଣ୍ଣା ଭଳି ଟିକା ମଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦେଶୀ ଟିକା ଯେଭଳି ଶୀଘ୍ର ଭାରତରେ ଉପଲବ୍ଧ ହେବ ସେଥିପାଇଁ ଭାରତ ସରକାର କିଛି ସର୍ତ୍ତ କୋହଳ କରିଛନ୍ତି । ଏହି ଟିକାଗୁଡିକର ଭାରତରେ ଆଉ ଟ୍ରାଏଲ ହେବ ନାହିଁ । ଏହାଛଡ଼ା ଫାଇଜର ଓ ମଡେର୍ଣ୍ଣା ଭଳି ଟିକାକୁ କ୍ଷତିପୂରଣ ଦାବି ଓ ମକଦ୍ଦମାରୁ ଆଇନଗତ ସୁରକ୍ଷା ଦେବାକୁ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବିଦେଶୀ ଟିକା ନିର୍ମାତା କମ୍ପାନୀଙ୍କୁ ଭାରତରେ ଆଇନଗତ ସୁରକ୍ଷା ଦେବାକୁ ଆମର କୌଣସି ଅସୁବିଧା ନାହିଁ । ଯଦି ସେମାନଙ୍କୁ ଅନ୍ୟ ଦେଶରେ ଏଭଳି ସୁରକ୍ଷା ମିଳିଛି, ଆମେ ମଧ୍ୟ ଏଥିପାଇଁ ପ୍ରସ୍ତୁତ । ସେ କହିଛନ୍ତି, ଯେଉଁ ବିଦେଶୀ ଟିକା ଭାରତରେ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛନ୍ତି, ଆମେ ସେମାନଙ୍କୁ ମଞ୍ଜୁରି ଦେବୁ । ତେବେ ଫାଇଜର ଓ ମଡେର୍ଣ୍ଣା ଟିକାର ଅଧିକ ଚାହିଦା ଥିବାରୁ ଏହି ଦୁଇ ଟିକା ଭାରତରେ ଉପଲବ୍ଧ ହେବାକୁ ସମୟ ଲାଗିପାରେ ବୋଲି ସୂତ୍ରରୁ ଜଣାପଡିଛି ।

ଫାଇଜର ଓ ମଡେର୍ଣ୍ଣା ଭଳି କିଛି ବିଦେଶୀ ଟିକା କମ୍ପାନୀ ଭାରତରେ ମକଦ୍ଦମାରୁ ସୁରକ୍ଷା ପାଇଁ ଭାରତ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ । ଯଦିଓ ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି, ତେବେ ଏହି ଟିକାଗୁଡିକର ଭାରତରେ ଆଉ ଅଲଗା ଟ୍ରାଏଲ ନ କରିବାକୁ ସେମାନଙ୍କ ଦାବି ସରକାର ମାନି ନେଇଛନ୍ତି ।

Comments are closed.