ବିଜେପିରେ ସାମିଲ ହୋଇଥିବା ତୃଣମୂଳ କଂଗ୍ରେସ ନେତାଙ୍କ ହେବ ଘରବାହୁଡ଼ା

କୋଲକାତା: ବିଧାନସଭା ନିର୍ବାଚନର ମାସକ ପରେ ଦଳ ଡେଇଁ ବିଜେପିରେ ସାମିଲ ହୋଇଥିବା ବିଦ୍ରୋହୀ ନେତା ପୁଣି ତୃଣମୂଳ କଂଗ୍ରେସକୁ ଫେରିବାକୁ ମନ ବଳାଇଛନ୍ତି ।

ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରୟଙ୍କ ଭଳି ହେଭିୱେଟଙ୍କ ସହ ବହୁ ସଂଖ୍ୟକ ନେତା ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ମମତାଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଥିଲା । ଏପରିକି ମମତା ଓ ତୃଣମୂଳ କଂଗ୍ରେସର ପତନ ଆରମ୍ଭ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ସବୁ କଳ୍ପନାଜଳ୍ପନା ଓ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ମମତାଙ୍କ ଦଳ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିଥିଲା । ୨୯୨ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ହାତେଇଥିଲା । ବିଜେପିକୁ କେବଳ ୭୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଏବେ ବିଜେପିରୁ ତୃଣମୂଳ କଂଗ୍ରେସକୁ ନେତାଙ୍କ ଲେଉଟାଣି ଆରମ୍ଭ ହୋଇଛି । କିଛି ନେତା ଦିଦିଙ୍କ ପାଖକୁ ଫେରିଛନ୍ତି । ଆହୁରି ଅନେକ ନେତା ଫେରିବାକୁ ସଜବାଜ ହେଉଥିବା ଜଣାପଡିଛି । ପୂର୍ବତନ ଟିଏମ୍‌ସି ବିଧାୟକ ସୋନାଲି ଗୁହାଙ୍କ ଠାରୁ ଆରମ୍ଭ କରି ଫୁଟବଲ୍ ଖେଳାଳିରୁ ନେତା ପାଲଟିଥିବା ଦୀପେନ୍ଦୁ ବିଶ୍ୱାସ ତୃଣମୂଳ କଂଗ୍ରେସକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେହିପରି ସାରଳା ମୁର୍ମୁ, ଅମଲ ଆଚାର୍ଯ୍ୟ ମଧ୍ୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଏପରିକି ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ଓ ମୁକୁଳ ରୟଙ୍କ ଭଳି ହେଭିୱେଟ ନେତାଙ୍କ ମଧ୍ୟ ଘରବାହୁଡ଼ା ହୋଇପାରେ ବୋଲି ତୃଣମୂଳ କଂଗ୍ରେସର ପ୍ରବକ୍ତା କୁନାଲ ଘୋଷ ଗଣମାଧ୍ୟମକୁ କହିଛନ୍ତି ।

Comments are closed.