ଦେଶରେ ପୁଣି ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧.୩୪ ଲକ୍ଷ ମାମଲା, ୨୮୮୭ ମୃତ

ନୂଆଦିଲ୍ଲୀ: କ୍ରମାଗତ ଖସିବା ପରେ ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଗତ ଦୁଇଦିନ ଧରି ଉପରମୁହାଁ ହୋଇଛି । ଗତକାଲି ୧.୩୨ ମାମଲା ରେକର୍ଡ କରାଯାଇଥିଲା । ଆଜି ଏହି ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୩୪,୧୫୪ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୨୮୮୭ ଲୋକଙ୍କ ଜୀବନ ଯାଇଛି । ଆଶ୍ୱସ୍ତିକର ବିଷୟ ହେଉଛି ଦୈନିକ ସଂକ୍ରମଣ ତୁଳନାରେ ସୁସ୍ଥ ହାର ଅଧିକ ରହିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ରୁ ଆଉ ୨ ଲକ୍ଷ ୧୧ ହଜାର ୪୯୯ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩ ଲକ୍ଷ ୩୭ ହଜାର ୯୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୧୭ ଲକ୍ଷ ୧୩ ହଜାର ୪୧୩ ସକ୍ରିୟ ରୋଗୀ ଅଛନ୍ତି ।

କୋଭିଡ୍‌-୧୯ ବିରୋଧରେ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଶରେ ଏଯାବତ୍ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ ଲୋକଙ୍କୁ କରୋନା ଟିକା ଡୋଜ୍ ଦିଆଯାଇଛି । ଗତକାଲି ୨୪ ଲକ୍ଷ ୨୬ ହଜାର ଟିକା ଲଗାଯାଇଥିଲା ।

Comments are closed.