ପୁଣେ: କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୧୫ ମହିଳାଙ୍କ ସମେତ ୧୭ ଜୀବନ୍ତ ଦଗ୍ଧ

ପୁଣେ: ପୁଣେ ନିକଟସ୍ଥ ଉରାୱାଡେ ଗ୍ରାମରେ ଏକ କେମିକାଲ ଫ୍ୟାକ୍ଟ୍ର୍ରିରେ ଭୟାବହ ଅଗ୍ନିକାଣ୍ଟ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି । ଏକ ମେସିନ୍‌ରେ କୌଣସି କାରଣ ଯୋଗୁଁ ବିସ୍ଫୋରଣ ଘଟିବାରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା । ଏହି ଘଟଣା ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଘଟିଥିଲା । ଘଟଣା ବେଳେ ଫ୍ୟାକ୍ଟ୍ରି ଭିତରେ ୩୭ ଶ୍ରମିକ କାମ କରୁଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୧୫ ମହିଳାଙ୍କ ସମେତ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଏସ୍‌ଭିଏସ୍ ନାମକ ଏହି କେମିକାଲ ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଡାଏଅକ୍ସାଇଡ୍ ପ୍ରସ୍ତୁତ କରାଯାଏ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ହେଲା ଏହି ଫ୍ୟାକ୍ଟ୍ରିରେ ସାନିଟାଇଜର ତିଆରି ହେଉଥିଲା । ଅଗ୍ନିକାଣ୍ଟ ପରେ କମ୍ପାନୀର ମାଲିକ ଫେରାର ହୋଇଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରି ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଦୁଇପଟରୁ କାନ୍ଥ ଭାଙ୍ଗିବାକୁ ପଡିଥିଲା । ହେଲେ ସେତେବେଳକୁ ଭୀଷଣ ନିଆଁରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକମାନେ ସ୍ଥାନୀୟ ମୁଲ୍‌ସି ତାଲୁକା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Comments are closed.