ସମ୍ମୁଖ କୋଭିଡ୍ ଯୋଦ୍ଧାର ମାନ୍ୟତା ଦାବି କଲେ ପାଇଲଟ୍‌

ନୂଆଦିଲ୍ଲୀ: ସେମାନଙ୍କୁ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାର ମାନ୍ୟତା ମିଳୁ ବୋଲି ଏକ ପାଇଲ୍‌ଟ ସଂଘ ଦାବି କରିଛି । ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ମାନ୍ୟତା ସହ ପ୍ରାଥମିକତା ଭିତ୍ତିରେ ଟିକାକରଣ, ବୀମା ଓ କ୍ଷତିପୂରଣ ଭଳି ସହାୟତା ପ୍ରଦାନ କରିବାକୁ ଦାବି କରି ‘ଫେଡେରେସ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍‌ସ’ ନାମକ ଏହି ସଂଘ ବମ୍ବେ ହାଇକୋର୍ଟରେ ଆବେଦନ କରିଛି । ଚଳିତ ବର୍ଷ ଫେବୃୟାରୀ ଠାରୁ ଏଯାବତ୍ କୋଭିଡ୍ ଯୋଗୁଁ ୧୩ ଜଣ ବିମାନ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷକ ମଧ୍ୟରେ ମୋଟ ୧୭ ଜଣ ପାଇଲଟ୍ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି ବୋଲି ଉକ୍ତ ସଂଘ ଦାବି କରିଛି ।

କୋଭିଡ୍‌ରେ ପ୍ରାଣ ହରାଇଥିବା ପାଇଲଟ୍ ମାନଙ୍କୁ ସହାୟତା ଦେବା ପାଇଁ କୌଣସି ଯୋଜନା ଘୋଷଣା କରଯାଇ ନାହିଁ । ପାଇଲଟଙ୍କ ସୁରକ୍ଷା ପାଇଁ କୌଣସି ବୀମା ସୁବିଧା ବି କରାଯାଇ ନାହିଁ । ଗତ ୧୪ ମାସ ଧରି ନିରନ୍ତର ସେବା ଯୋଗାଇଥିବା ପାଇଲଟ୍ ମାନଙ୍କୁ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯିବା ଉଚିତ ବୋଲି କୋର୍ଟରେ ଦାୟର ହୋଇଥିବା ପିଟିସନ୍‌ରେ କୁହାଯାଇଛି ।

‘ଫେଡେରେସ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍‌ସ’ରେ ଏୟାର ଇଣ୍ଡିଆ, ସ୍ପାଇସ୍ ଜେଟ୍‌, ଇଣ୍ଡିଗୋ, ରିଲାଏନ୍ସ କମର୍ସିଆଲ, ଗୋ ଏୟାର, ସାଉଦିଆ ଏବଂ ଭିସ୍ତାରା ଭଳି ଏୟାର ଲାଇନ୍ସର ୫୬୧୯ ସଦସ୍ୟ ଅଛନ୍ତି ।

ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ର ହିଁ ୧୯୯୫ ପାଇଲଟ୍ ଏଯାବତ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ପଡିଥିଲା । କୋଭିଡ୍ ମହାମାରୀ ଯୋଗୁଁ ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କୁ ଭାରତ ଆଣିବା ପାଇଁ ଏୟାର ଇଣ୍ଡିଆର ‘ବନ୍ଦେ ଭାରତ’ ଫ୍ଲାଇଟ୍ କାର୍ଯ୍ୟ କରୁଛି । ବନ୍ଦେ ଭାରତ ଫ୍ଲାଇଟ୍‌ରେ ଏଯାବତ୍ ବିଶ୍ୱର ବହୁ ଦେଶରୁ ୧୬,୩୦୬ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଇଛି ।

Comments are closed.