ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା ନିତି ପାଳିତ

ପୁରୀ: ଶ୍ରୀମନ୍ଦିରରେ ଯଥାବିଧି ସାବିତ୍ରୀ ଅମାବାସ୍ୟା ନିତି ଆଜି ପାଳିତ ହୋଇଯାଇଛି । ଏଥିପାଇଁ ଶ୍ରୀଜିଉଙ୍କ କି ବିଶେଷ ନୀତି ସମ୍ପର୍ଣ୍ଣ ହୋଇଥିଲା । ଜ୍ୟେଷ୍ଠ ଅମାବାସ୍ୟା ହେଉଛି ସାବିତ୍ରୀ ଅମାବାସ୍ୟା । ଏହି ଦିନଟି ଓଡ଼ିଆ ଗୃହୀଣୀଙ୍କ ଏକ ବିଶେଷ ଦିନ । ଓଡିଶାର ପୁରପଲ୍ଲୀରେ ଏହାକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ରହିଛି ଏହାର କିଛି ସତନ୍ତ୍ରତା । ଏହିଦିନ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ନିକଟ କୁର୍ମବେଢା ପରିସରରେ ଥିବା ଭୁବନେଶ୍ଵରୀ ବା ସରସତୀ ମନ୍ଦିରରେ ଥିବା ସାବିତ୍ରୀଙ୍କ ପାଖରେ ବିଶେଷ ପୂଜାନୀତି କରାଯାଏ । ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଭିତର ଚନ୍ଦନ ଅବସରରେ ମହାପ୍ରଭୁଙ୍କର ଦ୍ବିତିୟ ଜଳକ୍ରୀଡା ନୀତି ସମ୍ପର୍ଣ୍ଣ ହୋଇଛି । ଶ୍ରୀଜିଉଙ୍କ ଦ୍ବିପହର ଧୂପ ଓ ଯାତଭୋଗ ବଢିବାପରେ ଦକ୍ଷିଣି ଘରୁ ଶ୍ରୀମଦନମୋହନ ରତ୍ନସିଂହାସନ କୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତହୋଇ ଶ୍ରୀମଦନମୋହନ ଓ ଶ୍ରୀଦେବୀ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କି ରେ ଜଳକ୍ରୀଡ଼ା କରିବାକୁ ବିଜେ ହୋଇଥିଲେ । ଜଳକ୍ରୀଡ଼ା ନୀତିସାରି ବେଶ ଓ ଶୀତଳଭାଗ ପରେ ମଦନମୋହନ ଦକ୍ଷିଣି ଘରୁକୁ ବାହୁଡା ବିଜେ କରିଥିଲେ । ସେହିପରି ଶ୍ରୀଦେବୀ ରତ୍ନସିଂହାସନ ରେ ବିଜେ ହୋଇଥିଲେ ।

ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀଜିଉ ମାନଙ୍କର ସକାଳଧୂପ ବଢିବା ପରେ ଅମାବାସ୍ୟା ନାରାୟଣ ରତ୍ନସିଂହାସନ କୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନାରାୟଣ ସ୍ଵର୍ଗଦ୍ଵାର ତଟ ମହୋଦଧି କୁ ବିଜେ କରି ସେଠାରେ ସମୁଦ୍ର ଜଳଲାଗି ଓ ଆଳତି ବନ୍ଦାପନା ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ନାରାୟଣ ହରଚଣ୍ଡୀ ସାହିସ୍ଥିତ ଯମେଶ୍ବର ମନ୍ଦିରକୁ ବିଜେ କରିଥିଲେ । ସେଠାରେ ତାଙ୍କର ଫଚାମୃତ ସ୍ନାନ , ଫଚୋପଚାର ପୂଜା ଓ ଭୋଗ ନିତି ସମ୍ପାଦିତ ହେବାପରେ ଠାକୁର ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତି ବଢିଥିଲା ।

Comments are closed.