ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ବନ ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭେଟେରାନ ଓପନର ଶିଖର ଧାଓ୍ବନ ଦଳର ନେତୃତ୍ବ ନେବେ । ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି। ଚେତନ ସାକାରିଆ, ନୀତୀଶ ରାଣା, ଦେବଦତ୍ତ ପାଡିକ୍ଲଲ ଏବଂ କୃଷ୍ଣପ୍ପା ଗୌତମଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ମିଳିଛି। ପୃଥ୍ବୀ ଶ’ଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।

ଭାରତୀୟ ଦଳ ଜୁଲାଇ ୧୪ ରୁ ୨୫ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ | ତିନୋଟି ଦିନିକିଆ ଜୁଲାଇ ୧୩, ୧୬ ଏବଂ ୧୮ରେ ଖେଳାଯିବ । ଟି-୨୦ ସିରିଜ୍ ମ୍ୟାଚ୍ ୨୧, ୨୩ ଏବଂ ୨୫ ଜୁଲାଇରେ ଅନୁଷ୍ଠିତ ହେବ | ତେବେ ମ୍ୟାଚ୍‌ର ଭେନ୍ୟୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଭାରତ ଏକାସଙ୍ଗେ ଦୁଇଟି ସିରିଜ୍ ଖେଳିବ | ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଯେଉଁଠାରେ ସେମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ଟେଷ୍ଟ ସିରିଜ୍ ଖେଳିବେ।

ସେପଟେ ଧାଓ୍ବନଙ୍କ ନେତୃତ୍ୱରେ ଆଉ ଏକ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ସୀମିତ ଓଭର ସିରିଜ୍ ଖେଳିବ। ଏହି କାରଣରୁ ଯେଉଁ ଖେଳାଳିମାନେ ଭାରତର ଟେଷ୍ଟ ଦଳର ଅଂଶ ନୁହଁନ୍ତି ସେମାନେ ଶ୍ରୀଲଙ୍କା ଗସ୍ତରେ ସ୍ଥାନ ପାଇଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ:
ଶିଖର ଧାୱନ (କ୍ୟାପଟେନ), ଭୂବନେଶ୍ୱର କୁମାର (ଉପ-ଅଧିନାୟକ), ପୃଥ୍ବୀ ଶ’, ଦେବଦତ୍ତ ପାଡିକ୍ଲଲ, ରିତୁରାଜ ଗାଏକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ କିଶାନ (ଓ୍ବିକେଟକିପର), ସଞ୍ଜୁ ସାମସନ୍ (ଓ୍ବିକେଟକିପର) ରାହୁଲ ଚହର, କୃଷ୍ଣପ୍ପା ଗୌତମ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସାକାରିଆ।

Comments are closed.