ସମ୍ବେଦନଶୀଳ ପ୍ରଶାସନର ସର୍ବୋତ୍କୃଷ୍ଟ ନମୁନା

ସମାଜର ଶେଷ ବର୍ଗର ବ୍ୟକ୍ତିଙ୍କ ନିକଟରେ ସରକାରୀ କଳ ପହଞ୍ଚିପାରିବ , ପ୍ରଶାସନ ଦ୍ବାରା ସରକାରଙ୍କ ଯୋଜନାର ସୁଫଳ ସେ ପାଇବ , ତେବେ ଯାଇ ଜନଗଣଙ୍କ ପ୍ରତି ସମ୍ବେଦନଶୀଳ ସରକାର ଭାବେ ଗଣାହେବ । ସାଢ଼େ ୪ କୋଟି ଓଡ଼ିଆଙ୍କ ଏହି ବିଶାଳ ପରିବାରର ପ୍ରତିଟି ବ୍ୟକ୍ତି ମୋ ପାଇଁ ଆପଣାର , ସେମାନଙ୍କ ପାଇଁ ହିଁ ମୋ ସରକାର ।… ଏମିତି କିଛି ଚିନ୍ତାଧାରା ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ବାସ୍ତବରେ ପ୍ରତିଟି ରାଜ୍ୟବାସୀଙ୍କ ପାଇଁ ସମ୍ବେଦନଶୀଳ ତାହାର ଏକ ନମୁନା ଦେଖିବାକୁ ମିଳିଛି । ଯେତେବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧାଙ୍କୁ ତାଙ୍କ ଦୁଇ ଭିନ୍ନକ୍ଷମ ପୁଅ ଅସହାୟ ଅବସ୍ଥାରେ ଛାଡ଼ି ଚାଲି ଯାଉଥିବା ଖବର ପ୍ରକାଶ ଓ ପ୍ରସାର ହେଲା , ସେତେବେଳେ ଖୋଦ୍ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୃଦ୍ଧାଙ୍କ ପାଇଁ ଆଗେଇ ଆସିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ବୁଢ଼ି ଜଣଙ୍କର ଉଚିତ ଚିକିତ୍ସା , ଯତ୍ନ , ସେବା ଶୁଶ୍ରୁଷା କରାଇବାକୁ । ଏଥିସହ ଆର୍ଥିକ ଅନାଟନରେ ଦିନ କାଟୁଥିବା ଉକ୍ତ ପରିବାରର ଉଚିତ ଥଇଥାନ କରିବାକୁ ମଧ୍ୟ କହିଥିଲେ ସେ । ମୁଖ୍ୟ ଶାସନ ସଚିବଙ୍କ ଲାଗି ବୃଦ୍ଧାଜଣକ ବଞ୍ଚିବାର ରାହା ପାଇଛନ୍ତି । କରୋନା ମହାମାରୀ ସଙ୍କଟ କାଳରେ ସମ୍ବେଦନଶୀଳ ପ୍ରଶାସନିକ କଳ ଓ ମାନବିକତାରେ ପରିପୂର୍ଣ୍ଣ ନେତୃତ୍ବର ଆଉ ଏକ ନଜିର ସୃଷ୍ଟି ହୋଇଛି ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରାର ମୂଳ ନିବାସୀ ବିଜୟ ପଟ୍ଟନାୟକ । ବହୁ ବର୍ଷ ତଳୁ ସ୍ବାମୀଙ୍କ ବିୟୋଗ ହୋଇ ସାରିଛି । କଷ୍ଟେମଷ୍ଟେ ଝିଅର ବିବାହ କରାଇଥିଲେ , ହେଲେ ସେ ମଧ୍ୟ ଏବେ ବିଧବା । ଦୁଇ ପୁଅ , ହେଲେ ଅଂଶିକ ଦୃଷ୍ଟିଶକ୍ତି ବାଧିତ । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଦୁଇ ପୁଅ ୫ ବର୍ଷ ତଳେ ମାଆକୁ ଭଉଣୀ ଘରେ ଛାଡ଼ି ଜୀବିକା ଅନ୍ବେଷଣରେ କୋଲକତା ଯାଇଥିଲେ । ହେଲେ ଲକଡାଉନ୍ ହେତୁ ସେଠାରୁ ବାଧ୍ୟ ହୋଇ ଫେରିଥିଲେ ଦୁଇ ପୁଅ । କିନ୍ତୁ ବିଧବା ଝିଅ ନିଜ ଦାରିଦ୍ର୍ୟତା ହେତୁ ଆଉ ଅଧିକ ଦିନ ରଖିହେବନି କହି ମାଆକୁ ସାଥିରେ ନେଇ ଚାଲିଯିବାକୁ ଦୁଇ ଭାଇଙ୍କୁ କହିଥିଲା । କିନ୍ତୁ ଜନ୍ମ କଲା ମାଆର ଯତ୍ନ ନେବେ କଣ , ଦୁହେଁ ଭଞ୍ଜନଗର ଲୋହରାଖଣ୍ଡି ନଦୀ ତଟରେ ମାଆକୁ ଏକାକୀ ଛାଡ଼ି ପଳାଇଯିବାକୁ ବସିଥିଲେ । କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ନଜରରେ ଏହି ଘଟଣା ପଡ଼ିଗଲା ଆଉ ସେମାନେ ଦୁଇ ଭାଇଙ୍କୁ କାବୁ କରିବା ସହ ବୃଦ୍ଧା ମାଆଙ୍କୁ ସ୍ଥାନୀୟ ପ୍ରଶାସନ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଏହି ଖବର ଯେତେବେଳେ ଗଣମାଧ୍ୟମ ଜରିଆରେ ପ୍ରସାରିତ ହେଲା ଓ ମୁଖ୍ୟ ଶାସନ ସଚିବଙ୍କ ନଜରିରେ ଆସିଲା ତୁରନ୍ତ ସେ ପଦକ୍ଷେପ ନେଲେ । ବୃଦ୍ଧାଙ୍କୁ ଉଦ୍ଧାର କରି ସହାୟତା ଯୋଗାଇ ଦେବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ । ସ୍ଥାନୀୟ ପୁଲିସ, ପ୍ରଶାସନ ଓ ସରପଞ୍ଚ ବିଜୟାଙ୍କ ନିକଟରେ ପହଞ୍ଚିଥିଲେ । ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ବୃଦ୍ଧାଙ୍କ ଚିକିତ୍ସା ବୃଦ୍ଧାଙ୍କୁ ସାମାଜିକ ସହାୟତା ସହ ନିଜ ଘରେ ପୁନଃ ଥଇଥାନ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି । ଯେ ବରିଷ୍ଠ ନାଗରିକଙ୍କ ପ୍ରତି ଏପରି ଅମାନୁଷିକ ବ୍ୟବହାର ବରଦାସ୍ତ କରାଯିବ ନାହିଁ । ଏଭଳି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କ୍ଷୀଣକାୟ ଶରୀର ଓ ଅତ୍ୟନ୍ତ ଦୁର୍ବଳ ବୃଦ୍ଧାଙ୍କ ଚିକିତ୍ସା କିଛି ଦିନ ଜାରି ରହିବ ବୋଲି କହିଛନ୍ତି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ । ସେପଟେ ପୁଲିସ ମାଆକୁ ନଦୀ ତଟରେ ଛାଡ଼ି ଚମ୍ପଟ ମାରୁଥିବା ଦୁଇ ପୁଅ ଓ ଜଗନ୍ନାଥପ୍ରସାଦରେ ରହୁଥିବା ଝିଅଙ୍କୁ ଭଞ୍ଜନଗର ଥାନାକୁ ଆଣିଥିଲା । ପ୍ରଶାସନ ଓ ପୁଲିସର ହସ୍ତକ୍ଷେପ ପରେ ଦୁଇ ପୁଅ ଡାକ୍ତରଖାନାରେ ବୁଢ଼ି ମାଆର ସେବାରେ ଜୁଟି ଯାଇଛନ୍ତି । ସୁସ୍ଥ ହେବା ପରେ ସେ ଝିଅ ନିକଟରେ ରହିବେ ଓ ପ୍ରଶାସନ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇଦେବ । ଦୁଇ ପୁଅଙ୍କ ଲୋହରାଖଣ୍ଡି ନଦୀ ପଠାରେ ଥିବା ଜମିରେ ସରକାରୀ ଆବାସ କରିବା ପାଇଁ ସହାୟତା ଦେବ ପ୍ରଶାସନ ଏହି ଘଟଣା ପୁଣି ଥରେ ସୂଚାଇ ଦେଇଛି ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ତଥା ମାର୍ଗଦର୍ଶନରେ ରାଜ୍ୟର ପ୍ରଶାସନିକ କଳ ପ୍ରତିଟି ଓଡ଼ିଆଙ୍କ ପାଇଁ କେତେ ଯତ୍ନବାନ ଅଟେ ।

Comments are closed.