ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ସାମିଲ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ହକି ଇଣ୍ଡିଆ ଗୁରୁବାର ୧୬ ଜଣିଆ ମହିଳା ହକି ଦଳ ଘୋଷଣା କରିଛି । ଏଥିରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି । ଦଳରେ ୮ ଅଲିମ୍ପିକ୍ ଡେବୁଟାଣ୍ଟ୍ ଅଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିଥିବା ୮ ସିନିୟର ଖେଳାଳି ମଧ୍ୟ ଏଥର ଅଲିମ୍ପିକ୍ସ ଟିମ୍‌ରେ ସ୍ଥାନ ବଜାୟ ରଖିଛନ୍ତି ।

ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଟୋକିଓ ଅଲିମ୍ପିକ୍ସର ହକି ଇଭେଣ୍ଟରେ ଅଂଶଗ୍ରହଣ କରିବ । ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଥିବା ୮ ଖେଳାଳି ହେଉଛନ୍ତି ଡ୍ରାଗ୍ ଫ୍ଲିକର ଗୁର୍ଜିତ କୌର, ଉଦିତା, ନିଶା, ନେହା, ନବନୀତ କୌର, ଶର୍ମିଳା ଦେବୀ, ଲାଲ୍‌ରେମସିଆମି ଏବଂ ସାଲିମା ଟେଟେ । ଏମାନଙ୍କ ମଧ୍ୟରୁ ଟେଟେ ୨୦୧୮ ବୁଏନ୍ସ ଆୟରିସ୍ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଭାରତର ନେତୃତ୍ୱ ନେଇଥିଲେ । ଭାରତ ଉକ୍ତ ୟୁଥ୍‌୍ ଅଲିମ୍ପିକ୍ସ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା ।
ଭାରତୀୟ ମହିଳା ହକି ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ । ଏହା ପୂର୍ବରୁ ଭାରତୀୟ ମହିଳା ଦଳ ୧୯୮୦ ଓ ୨୦୧୬ ଅଲିମ୍ପିକ୍ସରେ ଖେଳିଥିଲା ।

ଭାରତୀୟ ଦଳ: ଗୋଲକିପର – ସବିତା, ଡିଫେଣ୍ଡର – ଦୀପଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁର୍ଜିତ କୌର, ଉଦିତା, ମିଡ୍ ଫିଲ୍ଡର – ନିଶା, ନେହା, ସୁଶିଲା ଚାନୁ ପୁଖ୍ରାମ୍ବାମ, ମୋନିକା, ନାନ୍‌ଜୋତ କୌର, ସଲିମା ଟେଟେ, ଫରୱାର୍ଡ – ରାଣୀ ରାମପାଲ, ନବନୀତ କୌର, ଲାଲରେମସିଆମି, ବନ୍ଦନା କଟାରିୟା, ଶର୍ମିଳା ଦେବୀ ।

Comments are closed.