ଭିନ୍ନକ୍ଷମତା ହାର ମାନିଛି, ସାଜିଛନ୍ତି ଆଶାର ପ୍ରତୀକ

ଏମିତି ତ ଅନେକ କୋଭିଡ୍ ଯୋଦ୍ଧା ମହାମାରୀ ବିରୋଧୀ ସଂଗ୍ରାମରେ ନିଜକୁ ନିୟୋଜିତ କରିଛନ୍ତି। ତେବେ ସେମାନଙ୍କୁ ମଧ୍ୟରୁ କିଛି ଜଣ ଅଛନ୍ତି ଯେଉଁମାନେ ଅନ୍ୟପାଇଁ ପ୍ରେରଣାଦାୟୀ ସାଜିଛନ୍ତି। ବିଭିନ୍ନ କାରଣରୁ ସେମାନେ ଅନ୍ୟ ଠାରୁ ନିଆରା ଭାବେ ପରିଗଣିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ବଡ଼ଏକସିଂ ଗ୍ରାମର ଆଶା କର୍ମୀ ଇ.କମଳା ହୁଅନ୍ତୁ କିମ୍ବା ହିଞ୍ଜିଳିକାଟୁ ବ୍ଲକ୍ ଚାନ୍ଦୁଲି ଗ୍ରାମର ଅଙ୍ଗନବାଡ଼ି ଦିଦି ଗୌରୀ କୁମାରୀ ଦଳେଇ… ଏମାନେ ନିଜ ଭିନ୍ନକ୍ଷମତାକୁ ପଛରେ ପକାଇ ଅନ୍ୟମାନଙ୍କ ପାଇଁ ଆଶା ଓ ସେବାର ଜୀବନ୍ତ ପ୍ରତୀକ ସାଜିଛନ୍ତି।

ଆଶା ବାଡ଼ି ଧରି ଚାଲନ୍ତି ୩୯ ବର୍ଷ ବୟସ୍କ ଭିନ୍ନକ୍ଷମ ଆଶା କର୍ମୀ ଇ.କମଳା। କୌଣସି କାରଣରୁ ତାଙ୍କର ଶରୀରର ଉଚ୍ଚତା କମ୍ ରହିବା ସହ ଗୋଡ଼ ମଧ୍ୟ ଠିକ୍ କାମ କରୁନି। ହେଲେ ଏଇ ଭିନ୍ନକ୍ଷମତା ତାଙ୍କୁ ତାଙ୍କ କର୍ତ୍ତବ୍ୟପଥରୁ ବିଚ୍ୟୁତ କରିପାରିନି। ହାତରେ ଆଶା ବାଡ଼ି ସାଙ୍ଗକୁ ଅକ୍ସିମିଟର୍, ଇନ୍‌ଫ୍ରା ରେଡ୍ ଥର୍ମୋମିଟର ଧରି ସେ ପ୍ରତିଦିନ ଡ୍ୟୁଟିକୁ ବାହାରି ଯାଆନ୍ତି। ଘରକୁ ଘର ବୁଲି ସେ ଲୋକଙ୍କ ସ୍ବାସ୍ଥ୍ୟ ସର୍ଭେ କରିବା ସହ ଲୋକଙ୍କୁ କୋଭିଡ୍- ୧୯ ବାବଦରେ ସଜାଗ କରନ୍ତି। ୨୦୧୭ରୁ ଆଶା କର୍ମୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ କମଳା। ସେ ହେଉଛନ୍ତି ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ। କାରଣ ୩ ଭଉଣୀ ବିବାହ କରି ସାରିଛନ୍ତି, ବାପା ମାଆ ବୃଦ୍ଧ ବୃଦ୍ଧା ଏବଂ ସାନ ଭାଇ ରୋଜଗାର କରିବାକୁ ସକ୍ଷମ ନୁହେଁ। ତେଣୁ ବେଳେବେଳେ ମନରେ ସଂକ୍ରମଣ ଆଶଙ୍କା ସୃଷ୍ଟି ହେଉଥିଲେ ହେଁ ପର ମୁହୁର୍ତ୍ତରେ ନିଜ ମନୋବଳକୁ ଅଧିକ ମଜବୁତ କରି ସେ କାର୍ଯ୍ୟକ୍ଷେତ୍ରରେ ଆଗେଇ ଚାଲିଛନ୍ତି। କୋଭିଡ୍ ଡ୍ୟୁଟି ବାଦେ ବି ପ୍ରାୟ ୬ ଗର୍ଭବତୀ ଓ ୮ ପ୍ରସୂତିଙ୍କ ଦୈନିକ ସ୍ଵାସ୍ଥ୍ୟବସ୍ଥା ବୁଝାସୁଝା କରୁଛନ୍ତି ସେ। ଏଯାବତ୍ ୫ ପର୍ଯ୍ୟାୟ ସ୍ବାସ୍ଥ୍ୟ ସର୍ଭେରେ ସାମିଲ ହୋଇସାରିଲେଣି ଏହି ଆଶା କର୍ମୀଜଣକ।

ନିକଟରେ ଟ୍ବିଟରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଥିଲା। ଲୋକଙ୍କ ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ଇ.କମଳା ବାସ୍ତବିକ ସମସ୍ତଙ୍କ ପାଇଁ ଉଦାହରଣ। ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ସହ ସଂକ୍ରମିତଙ୍କ ଚିକିତ୍ସା ସୁବିଧା, ବ୍ୟାପକ ସଚେତନତା ଓ କୋଭିଡ୍ ସର୍ଭେ ଆଦି କାର୍ଯ୍ୟରେ ତାଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ସିଏମ୍ଓ ଟ୍ବିଟର୍ ହ୍ୟାଣ୍ଡଲରେ ଉଲ୍ଲେଖ ରହିଥିଲା। ଭିନ୍ନକ୍ଷମ ଥିବା ସତ୍ତ୍ୱେ କର୍ତ୍ତବ୍ୟ କରି ପ୍ରଶଂସା ପାଇବା ପରେ ମନରେ ଅଧିକ ଉତ୍ସାହ ଜାତ ହେଉଛି ବୋଲି କହିଛନ୍ତି ଇ.କମଳା।

ଗୋଡ଼ ହରାଇବା ପରେ ବି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ଅଙ୍ଗନବାଡ଼ି କର୍ମୀ ଗୌରୀ ଦଳେଇ। ତାଙ୍କ ଜୀବନରେ ଦୁଃଖ ଅନେକ। ୫ ବର୍ଷ ତଳୁ ସେ ବିଧବା ହୋଇଗଲେ ତ ୩ ବର୍ଷ ତଳେ ଦୁର୍ଘଟଣାରେ ତାଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଲା। ହେଲେ ଯେଉଁଠି କରୋନା ମହାମାରୀ ବିରୋଧରେ ସଂଗ୍ରାମ କଥା ଉଠେ ସେଇଠି କୃତ୍ରିମ ଗୋଡ଼ ଲଗାଇବା ସହ ଆଶା ବାଡ଼ି ଧରି ଲଢ଼େଇରେ ଅବତୀର୍ଣ୍ଣ ହୋଇଯାଆନ୍ତି ଏହି ଅନନ୍ୟା କୋଭିଡ୍ ଯୋଦ୍ଧା ଜଣକ। ଭୁଲି ଯାଆନ୍ତି ନିଜ ଜୀବନ ସଂଗ୍ରାମ, ବରଂ ଲୋକଙ୍କୁ କିଭଳି କୋଭିଡ୍ ରୋଗ ସଂକ୍ରମଣରୁ ନିରାପଦ ରଖିହେବ ତାହାକୁ ଗୁରୁତ୍ବ ଦେଇ ସେ ନିଜର କର୍ତ୍ତବ୍ୟ ନିଷ୍ଠାପର ସହ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି।

ଘରେ ଝିଅ ଥିବାରୁ ତା ସହ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ସେ। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ସେମାନଙ୍କୁ ସଜାଗ କରାଇବା ପାଇଁ ଯେତେବେଳେ ଯାହା ଆବଶ୍ୟକ ତାହା କରି ଆସୁଛନ୍ତି ସେ। ଏଥିସହ ନିଜ ନିୟମିତ ଆଇସିଡିଏସ୍ ଦାୟିତ୍ଵ ମଧ୍ୟ ତୁଲାଇ ଆସୁଛନ୍ତି ଗୌରୀ ଦିଦି। ଲୋକଙ୍କ ସେବାରେ ମିଳେ ଆତ୍ମସନ୍ତୋଷ ଓ ଶାନ୍ତି । ଅନ୍ୟ ସବୁ ଦୁଃଖକୁ ଭୁଲି ନିଜକୁ ନିଜେ ଦୃଢ଼ କରି, ମନୋବଳକୁ ମଜବୁତ କରି କର୍ମକ୍ଷେତ୍ରରେ ଆଗକୁ ବଢ଼ି ଚାଲିଛି ବୋଲି କହନ୍ତି ଗୌରୀ ଦଳେଇ।

Comments are closed.