‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାତାରାତି ଚର୍ଚ୍ଚିତ ଚେହେରା ପାଲଟିଥିବା ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ କହିଛି ଯେ, ଗୁରୁବାର ରାତିରେ କାନ୍ତା ପ୍ରସାଦ ମଦ ଏବଂ ନିଦ ବଟିକା ଖାଇ ଅଚେତ ହୋଇଯାଇଥିଲେ । ସମ୍ପ୍ରତି ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଉଦ୍ୟମ ବୋଲି ପୋଲିସ୍ କହିଛି । ଘଟଣାର ତଦନ୍ତ ଜାରି ରହିଛି ।

୮୦ ବର୍ଷୀୟ କାନ୍ତା ପ୍ରସାଦଙ୍କର ସାଉଥ୍ ଦିଲ୍ଲୀର ମାଲବ୍ୟ ନଗରରେ ଏକ ଛୋଟିଆ ଢ଼ାବା ଅଛି । ଏହାର ନାମ ସେ ‘ବାବା କା ଢ଼ାବା’ ରଖିଛନ୍ତି । ପତ୍ନୀ ବାଦାମୀ ଦେବୀଙ୍କ ସହ କାନ୍ତା ପ୍ରସାଦ ଏହି ଢ଼ାବା ଚଲାନ୍ତି । ଗତବର୍ଷ କରୋନା ଯୋଗୁଁ ତାଙ୍କ ଢ଼ାବାର ବେପାର ମାନ୍ଦା ପଡ଼ିଯାଇଥିଲା । ଏଥିପାଇଁ ସେ କାନ୍ଦୁଥିବାର ଏକ ଭିଡିଓ ଭାରାଇଲ ହେବା ପରେ କାନ୍ତା ପ୍ରସାଦ ଓ ତାଙ୍କ ‘ବାବା କା ଢ଼ାବା’ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ । ହଠାତ୍ ତାଙ୍କ ଢ଼ାବା ଆଗରେ ଲୋକେ ଲମ୍ବା ଲାଇନ୍ ଲଗାଇବା ଆରମ୍ଭ କରିଥିଲେ । ତାଙ୍କ ପ୍ରତି ସମର୍ଥନ ଓ ସହାୟତାର ସୁଅ ଛୁଟିଥିଲା । ଏପରିକି ବଲିଉଡ୍ ସେଲିବ୍ରିଟି ମଧ୍ୟ କାନ୍ତା ପ୍ରସାଦଙ୍କୁ ଆର୍ôଥକ ସହାୟତା କରିଥିଲେ ।

କିଛି ମାସ ପରେ କାନ୍ତା ପ୍ରସାଦ ମାଲବ୍ୟ ନଗରରେ ଏକ ନୂଆ ରେଷ୍ଟୁରାଣ୍ଟ୍ ଖୋଲିଥିଲେ । ଏହାର ନାମ ମଧ୍ୟ ସେ ‘ବାବା କା ଢ଼ାବା’ ରଖିଥିଲେ । ତେବେ ନୂଆ ରେଷ୍ଟୁରାଣ୍ଟ୍‌କୁ ଚଳାଇବା ପାଇଁ ତାଙ୍କୁ ବେଶ୍ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା । ତାଙ୍କୁ ବେଶ୍ କ୍ଷତି ସହିବାକୁ ପଡିବାରୁ ସେ ଏହି ରେଷ୍ଟୁରାଣ୍ଟକୁ ବନ୍ଦ କରି ପୁଣି ତାଙ୍କ ପୁରୁଣା ଢ଼ାବାରେ ବେପାର ଆରମ୍ଭ କରିଥିଲେ ।

Comments are closed.