କରୋନା ମହାମାରୀ ମଧ୍ୟରେ ଆଶାର କିରଣ ସାଜିଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଯୋଗ ଆଶାର କିରଣ ସାଜିଛି । ଯୋଗ ଆମକୁ ଷ୍ଟ୍ରେସ୍‌ରୁ ଷ୍ଟ୍ରେନ୍ଥ ଏବଂ ନେଗେଟିଭିଟିରୁ କ୍ରିଏଟିଭିଟିର ପଥ ଦେଖାଇଛି ବୋଲି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ ଧରି ବିଶ୍ୱର ପ୍ରମୁଖ ଦେଶମାନଙ୍କରେ କୌଣସି ବଡ଼ ସର୍ବ ସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲେ ମଧ୍ୟ ଯୋଗ ପ୍ରତି ଉତ୍ସାହ କମି ନାହିଁ ।

କରୋନାର ଅଦୃଶ୍ୟ ଭାଇରସ୍ ଯେବେ ବିଶ୍ୱରେ ନିଜ କାୟା ବିସ୍ତାର କରିବା ଆରମ୍ଭ କଲା, ଏହାର ମୁକାବିଲା ପାଇଁ କୌଣସି ଦେଶ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥଳେ ଯୋଗ ମନୋବଳର ଏକ ପ୍ରମୁଖ ମାଧ୍ୟମ ସାଜିଥିଲା । କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପାଇଁ ମଧ୍ୟ ଯୋଗ ଏକ ଅସ୍ତ୍ର ପାଲଟିଛି । କେତେକ ଯୋଗାସନ ଦ୍ୱାରା ଶ୍ୱାସକ୍ରିୟାର ଜଟିଳତାକୁ ଦୂର କରାଯାଇ ପାରିବ ଏବଂ ସଂକ୍ରମଣକୁ ପ୍ରତିରୋଧ କରିବାର କ୍ଷମତା ବି ବୃଦ୍ଧି କରାଯାଇ ପାରିବ ।

ଭାରତ ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଏମ୍‌-ଯୋଗ ଆପ୍ ପ୍ରସ୍ତୁତ କରୁଛି । ଏହି ମୋବାଇଲ ଆପ୍ ମାଧ୍ୟମରେ ଯୋଗର ବିଭିନ୍ନ ଆସନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଏମ୍‌-ଯୋଗ ଆପ୍ ବିଭିନ୍ନ ଭାଷାରେ ଉପଲବ୍ଧ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏ ସମ୍ପର୍କିତ ଭାରତର ପ୍ରସ୍ତାବକୁ ୨୦୧୫ରେ ଜାତିସଂଘ ଗ୍ରହଣ କରିବା ସହ ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।

Comments are closed.