ଚିନ୍ତା ବଢ଼ାଇଲା କରୋନାର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍‌, ମହାରାଷ୍ଟ୍ରରେ ଠାବ ହେଲା ୨୧ ମାମଲା

ମୁମ୍ବାଇ: ଭାରତରେ ଦ୍ୱିତୀୟ ଲହରୀର ପ୍ରକୋପ ଥମି ଆସୁଥିବା ବେଳେ ନୂଆ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍ ଏବେ ଚିନ୍ତାର କାରଣ ସାଜିଛି । ଡେଲ୍‌ଟା ଅପେକ୍ଷା ଆହୁରି ଘାତକ ମନେ କରାଯାଉଥିବା କରୋନାର ଏହି ନୂଆ ଷ୍ଟ୍ରେନ୍ ଦେଶରେ ତୃତୀୟ ଲହରୀ ସଂକ୍ରମଣର କାରଣ ସାଜିପାରେ ବୋଲି ଆଶଙ୍କା କରାଯାଉଛି । ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ୨୧ଟି ମାମଲା ଚିହ୍ନଟ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରତ୍ନଗିରିରେ ଏହି ଷ୍ଟ୍ରେନର ସର୍ବାଧିକ ୯ଟି ମାମଲା ରିପୋର୍ଟ ହୋଇଥବା ବେଳେ ଜଳଗାଓଁରେ ୭, ମୁ୍‌ମ୍ବାଇରେ ଦୁଇଟି, ପାଲଘର, ଠାଣେ ଏବଂ ସିନ୍ଧୁଦୁର୍ଗରେ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।
ମହାରାଷ୍ଟ୍ର ବ୍ୟତୀତ କେରଳରେ ମଧ୍ୟ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ତିନୋଟି ମାମଲା ଠାବ କରାଯାଇଛି । ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ପଲ୍ କହିଛନ୍ତି ଯେ, ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ପର୍ଯ୍ୟନ୍ତ ‘ଚିନ୍ତାଜନକ ଭାରିଆଣ୍ଟ୍‌’ ଭାବେ ବିବେଚନା କରିନାହିଁ । ଏହି ନୂଆ ଷ୍ଟ୍ରେନ୍ ଉପରେ ଗବେଷଣା ଜାରି ରହିଛି ।

ଦେଶରେ ପ୍ରଥମେ ଭୋପାଳର ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ଶରୀରରେ କୋଭିଡ୍‌-୧୯ର ଡେଲ୍‌ଟା ପ୍ଲସ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ବୃଦ୍ଧା ଜଣକ ଘରେ ଆଇସୋଲେସନରେ ରହି ସୁସ୍ଥ ହୋଇଯାଇଥିଲେ । ସେ ମଧ୍ୟ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ ।

Comments are closed.