କୃଷି ଅଧିକାରୀ ରାମଚନ୍ଦ୍ରଙ୍କ ନିଆରା ପ୍ରୟାସ

ସମ୍ବଲପୁର : ଚିଠି ଲେଖୁଛନ୍ତି ରାମଚନ୍ଦ୍ର । ଏ ରାମଚନ୍ଦ୍ର କୌଣସି ରାମାୟଣ କାହାଣୀର ନୁହନ୍ତି । ବରଂ ଜଣେ ଦାୟିତ୍ବବାନ କୃଷି ଅଧିକାରୀ । ନିଜ ଚାକିରି ଜୀବନର ଦୀର୍ଘ ୩୫ ବର୍ଷର ଅଭିଜ୍ଞତାକୁ ଚିଠି ମାଧ୍ୟମରେ ଚାଷୀଙ୍କୁ ବାଣ୍ଟି ସଚେତନ କରୁଛନ୍ତି । ତା ସାଙ୍ଗକୁ ସାର ବେପାରୀଙ୍କୁ ବି ସେମାନଙ୍କ ଦାୟିତ୍ବବୋଧ ନେଇ ଅବଗତ କରାଉଛନ୍ତି । ଖାଲି ସେତିକି ନୁହେଁ , ନିଜର ବିଭାଗୀୟ କର୍ମଚାରୀଙ୍କୁ ବି ଏହି ସଚେତନତାର ମନ୍ତ୍ରକୁ ବାଣ୍ଟିବାକୁ ପରାମର୍ଶ ଦେଉଛନ୍ତି । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କୃଷି ଅଧିକାରୀ ରାମଚନ୍ଦ୍ର ଦାସଙ୍କ ଏଭଳି ନିଆରା ପ୍ରୟାସ ଚାଷୀଙ୍କ ମନ ଜିଣିବାରେ ସଫଳ ହୋଇଛି । ଆଉ ତାଙ୍କର ଏଭଳି ଉଦ୍ୟମ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ପ୍ରଚାର ପ୍ରସାର ହୋଇ ଚାଷୀଙ୍କ ପାଖରେ ଅକ୍ଳେଶରେ ପହଞ୍ଚି ପାରୁଛି ।

ବର୍ତ୍ତମାନ ମୌସୁମୀ ଆସିବା ପରେ ଚାଷୀ ଭାଇ ବିଲରେ ପୁଣି ଖରିଫ ଚାଷ ପାଇଁ ବ୍ୟସ୍ତ ହୋଇଗଲାଣି । ସଠିକ୍ ସମୟରେ ମୌସୁମୀ ଆସି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ ବି ଉତ୍ସାହିତ ହୋଇପଡିଛି । ବିଲକୁ ହଳ କରି ଧାନ ବୁଣିବା ଠାରୁ ଆରମ୍ଭ କରି ତଳିପକା କାମରେ ଚାଷୀ ବ୍ୟସ୍ତ ରହିଛି ।

ଏଭଳି ସ୍ଥିତିରେ ବର୍ତ୍ତମାନ ଚାଷୀଙ୍କୁ ଉପାଦେୟ ଥିବା ସୂଚନା ବାଣ୍ଟିବାକୁ କୁଚିଣ୍ଡା କୃଷି ଅଧିକାରୀ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

‘ ପ୍ରିୟ ଚାଷୀ ଭାଇମାନଙ୍କୁ ପଦେ … ’ ଏଭଳି ଶୀର୍ଷକ ସହ ନିଜର ପରିଚୟ ଦେଇ ରାମଚନ୍ଦ୍ର ବାବୁ ଚାଷୀମାନଙ୍କୁ ଅନେକ ଉପାଦେୟ କଥା ନେଇ ସଚେତନ କରୁଛନ୍ତି ରାମଚନ୍ଦ୍ର ବାବୁ । ତାଙ୍କର କୃଷି ବିଭାଗରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତାକୁ ଚାଷୀଙ୍କ ସହ ବାଣ୍ଟୁଛନ୍ତି ।

ଉତ୍ତମ ଚାଷ ପାଇଁ ପ୍ରଥମେ ଉନ୍ନତ ମାଟି ଏବଂ ଉନ୍ନତ ବିହନର ଆବଶ୍ୟକତା ରହିଛି । ଜମିରୁ ନିରନ୍ତର ଲାଭଜନକ ଫସଲ ଉପାର୍ଜନ ପାଇଁ ମାଟିର ସ୍ବାସ୍ଥ୍ୟକୁ କିପରି ବଜାୟ ରଖାଯିବ ସେନେଇ ରାମଚନ୍ଦ୍ର ଟିପ୍ସ ଦେଉଛନ୍ତି । ଏଥିପାଇଁ ସମତୁଳ ସାର ପ୍ରୟୋଗର ଉପାୟକୁ ସେ ପ୍ରାଞ୍ଜଳ ଭାଷାରେ ବୁଝାଉଛନ୍ତି । ଜମିର ଉର୍ବରତା ପାଇଁ ଆବଶ୍ୟକ ନାଇଟ୍ରୋଜେନ୍‌ , ଫସଫରସ୍ ଏବଂ ପୋଟାସିଅମ୍ ଆଦି ତିନି ଉପାଦାନର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ।

ତେବେ , ଏହାର ସଠିକ ବ୍ୟବହାର ଦିଗରେ ସାର ବେପାରୀଙ୍କ ଥିବା ଦାୟିତ୍ବବୋଧ ଏବଂ ଏହାର ଖିଲାପ ଯୋଗୁଁ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ତାଗିଦ ବି କରିଛନ୍ତି ରାମଚନ୍ଦ୍ର । ସବୁ ବ୍ୟବସାୟ ପଛରେ ଲାଭ ହିଁ ଉଦ୍ଦେଶ୍ୟ ରହିଛି । ହେଲେ ଲାଭଖୋର ମନୋବୃତ୍ତିରେ ଚାଷୀଙ୍କ ସାର୍ଥହାନୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଛନ୍ତି । ଉଭୟ ବୁଣା ଏବଂ ରୁଆ ଜମି ପାଇଁ ରହିଥିବା ସାର ପ୍ରୟୋଗ ବିଧିକୁ ବିଷଦ ଭାବେ ବୁଝାଇବା ସହିତ ସମସ୍ତ କୃଷି କର୍ମଚାରୀଙ୍କୁ ମଧ୍ୟ ଏହି ବାର୍ତ୍ତାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ସେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ରାମଚନ୍ଦ୍ର ବର୍ତ୍ତମାନର ଆଧୁନିକ ଯୁଗରେ ସ୍ମାଟ୍ ଆପ୍ ମାଧ୍ୟମରେ ତାଙ୍କ ଚିଠିକୁ ସାର୍ବଜନୀନ କରିବା ସହିତ ଚାଷୀଙ୍କ ପାଇଁ ନିରନ୍ତର ସେବାରେ ଥିବା ଉଲ୍ଲେଖ କରିଛନ୍ତି । ତେବେ , ତାଙ୍କର ଏହି ଚିଠିକୁ ଫୁରସତ ସମୟରେ ପଢ଼ିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିବା ବେଳେ ଏହା ସୋସିଆଲ୍ ମିଡିଆରେ ବହୁଳ ପ୍ରସାରିତ ହୋଇ ଚାଷୀଙ୍କ ମଧ୍ୟରେ ବେଶ୍ ଆଦୃତ ହେବାରେ ଲାଗିଛି ।

Comments are closed.