ବିଭିନ୍ନ ଟିକାର ମିଶ୍ରିତ ଡୋଜ୍ ଡେଲଟା ପ୍ଲସରୁ ସୁରକ୍ଷା ଦେଇପାରେ : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ଡେଲଟା ଏବଂ ଡେଲଟା ପ୍ଲସ୍ ପରି କରୋନାର ଘାତକ ଭାରିଏଣ୍ଟ ବିରୋଧରେ ଲଢ଼ିବା ପାଇଁ ଭାକ୍ସିନ ମିକ୍ସିଂ ଏକ ବିକଳ୍ପ ହୋଇପାରେ | ଡେଲଟା ପ୍ଲସକୁ ରୋକିବାରେ ଏହା ନିଶ୍ଚିତ ଭାବରେ ଏକ ଉପାୟ ହୋଇପାରେ, କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି | 

 

ଗତ ମାସରେ ସରକାର ମଧ୍ୟ ଟିକା ମିଶ୍ରଣର ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି କହିଥିଲେ । ନୀତି ଆୟୋଗ ସଦସ୍ୟ ଭି.କେ ପାଲ କହିଥିଲେ ଯେ ମ୍ୟୁଟେଟ୍ ହେଉଥିବା କରୋନା ଭାଇରସରୁ ସୁରକ୍ଷା ଏବଂ ଟୀକାକରଣର କଭରେଜ୍ ବୃଦ୍ଧି ପାଇଁ ଆମେ ଏଭଳି ପଦକ୍ଷେପ ଉପରେ ବିଚାର କରୁଛୁ | ଏନେଇ ଚାଲିଥିବା ପରୀକ୍ଷଣର ଫଳାଫଳ କିଛି ମାସ ମଧ୍ୟରେ ମିଳିବ ବୋଲି ପଲ୍ ଆଶା ପ୍ରକାଶ କରିଥିଲେ |

 

ଡକ୍ଟର ଗୁଲେରିଆ କହିଛନ୍ତି ଯେ ଡେଲ୍ଟା ଭାରିଏଣ୍ଟ ବିରୋଧରେ ଟିକାର ଗୋଟିଏ ଡୋଜ୍ ଯଥେଷ୍ଟ ହୋଇନପାରେ। ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ ଗୋଟିଏ ଡୋଜ୍ ୩୩ ପ୍ରତିଶତ ସୁରକ୍ଷା ଦେଇଥାଏ। ଉଭୟ ଡୋଜ ଦିଆଯିବା ପରେ ଲୋକେ ୯୦ ପ୍ରତିଶତ ସୁରକ୍ଷିତ ହୋଇପାରିବେ । ଗୁଲେରିଆ କହିଛନ୍ତି, ଏହା ଆମ ପାଇଁ ଚିନ୍ତାର ବିଷୟ ଯେ ଡେଲ୍ଟା ଭାରିଏଣ୍ଟ ବିରୋଧରେ ପ୍ରଥମ ଡୋଜ ଯଥେଷ୍ଟ ହୋଇନପାରେ। ଏପରି ପରିସ୍ଥିତିରେ ଆମକୁ ଆଉ ଏକ ଡୋଜ ନେବା ଆବଶ୍ୟକ | କିନ୍ତୁ ଏହାକୁ ଅଧିକ ଆଗୁଆ ଦେବାକୁ ପଡିବ, ଯାହାଫଳରେ ସୁରକ୍ଷା ସୁନିଶ୍ଚିତ ହୋଇପାରିବ |

Comments are closed.