ଟିକାକରଣ ଅଭିଯାନର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଏନ୍‌ଜିଓଙ୍କୁ ସାମିଲ କରିବା ପାଇଁ ପରାମର୍ଶ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନର ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକାକରଣ ଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହ ଏହି ଅଭିଯାନକୁ ତ୍ୱରାନ୍ୱିତ ଓ ବ୍ୟାପକ କରିବା ପାଇଁ ଏନ୍‌ଜିଓ ଓ ଅନ୍ୟ ସଂସ୍ଥାମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ଓ ନୀତି ଆୟୋଗ ସଦସ୍ୟ ଡଃ.ଭିକେ ପଲ୍ ମଧ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ବୟସ ବର୍ଗ ଅନୁଯାୟୀ ଟିକାକରଣ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକାରୀମାନେ ଅବଗତ କରାଇଛନ୍ତି । ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଏବଂ ସାଧାରଣ ଲୋକଙ୍କ ଟିକାକରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଚଳିତ ସପ୍ତାହରେ ଟିକାକରଣ ଗତି ବଢ଼ିଥିବାରୁ ପ୍ରଧାନମନ୍ତୀ ସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିବା ସହ ଟେଷ୍ଟିଂ ମଧ୍ୟ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।
ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଟିକା ଡୋଜ୍ ଦିଆଯାଇଛି । ଏହି ସଂଖ୍ୟା ମାଲେସିଆ, ସାଉଦି ଆରବ ଏବଂ କାନାଡା ଭଳି ଦେଶର ସମୁଦାୟ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଦେଶର ୧୨୮ ଜିଲ୍ଲାରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ୧୬ ଜିଲ୍ଲାରେ ଏହି ବୟସ ବର୍ଗର ୯୦% ଲୋକଙ୍କ ଟିକାକରଣ ହୋଇସାରିଛି ।

ଦେଶରେ ଏଯାବତ୍ ମୋଟ ୩୧.୪୮ ଟିକା ଡୋଜ୍ ଦିଆଯାଇଛି । ଏଥିମଧ୍ୟରୁ ୨୬.୦୨ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଓ ୫.୪୫ କୋଟି ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଜୁନ୍ ୨୧ରୁ ସଂଶୋଧିତ ଟିକା ନୀତି ଅନୁଯାୟୀ ଟିକାକରଣ ଜାରି ରହିଛି । ନୂଆ ଟିକା ନୀତି ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଟିକା ଦିଆଯାଉଛି । ଟିକାକରଣର ସମସ୍ତ ଦାୟିତ୍ୱ କେନ୍ଦ୍ର ସରକାର ନିଜ ହାତକୁ ନେଇଛନ୍ତି ।

Comments are closed.