ନିଜ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗରେ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

ଲଣ୍ଡନ: କୋଭିଡ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ ପରେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଇସ୍ତଫା ଦେଇଛନ୍ତି। ନିକଟରେ ହାନକକ୍ ତାଙ୍କ ଅଫିସ୍ ସହକର୍ମୀଙ୍କୁ ଚୁମ୍ବନ ଦେଉଥିବାର ଏକ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେ କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ନିୟମ ଉଲ୍ଲଂଘନ ପାଇଁ ହାନକକ୍ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

ହାନକକ୍ କୋଭିଡ ନିୟମ ଭାଙ୍ଗିବା କଥା ସ୍ୱୀକାର କରିବା ପରେ ତାଙ୍କୁ ଅଫିସରୁ ହଟାଇବାକୁ ଚାପ ପଡିଥିଲା। ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ହାନକକଙ୍କୁ ସମର୍ଥନ କରିଥିଲେ । ଏନେଇ ବିରୋଧୀ ଦଳ ଜନସନଙ୍କୁ ସମାଲୋଚନା କରିବା ସହ ବ୍ରିଟିଶ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି ଅଭିଯୋଗ କରିଥିଲେ। ବିରୋଧୀ ଦଳ କହିଥିଲା ଯେ କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ଅନେକ ଲୋକଙ୍କୁ ଜରିମାନା କରାଯାଇଛି, ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହାନକକଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର ।

Comments are closed.