ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ମମତା, କହିଲେ ଜୈନ ହାୱାଲା ମାମଲାରେ ଥିଲେ ଅଭିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଆହୁରି ତେଜିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଧନଖରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ରାଜ୍ୟପାଳଙ୍କ ନାମ ୧୯୯୬ର ଜୈନ ହାୱାଲା ସ୍କାମ୍ ମାମଲାର ଚାର୍ଜସିଟରେ ଥିଲା ବୋଲି କହିଛନ୍ତି ମମତା ।

ଉତ୍ତର ବଙ୍ଗଳାର ଏକ ସପ୍ତାହ ବ୍ୟାପୀ ଗସ୍ତ ପରେ ରାଜ୍ୟପାଳ ଆଜି ଅପରାହ୍ନରେ କୋଲକାତା ଫେରିଥିଲେ। ସେ ଫେରିବା ମାତ୍ରେ ଦାର୍ଜିଲିଂର ଗୋରଖାଲାଣ୍ଡ ଟେରିଟୋରିଆଲ୍ ଆଡମିନିଷ୍ଟ୍ରେସନ୍ (ଜିଟିଆ)ରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ କରିଥିଲେ ଏବଂ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (ସିଏଜି)ଙ୍କ ଦ୍ଵାରା ଏହାର ତଦନ୍ତ ପାଇଁ ଦାବି କରିଥିଲେ।

ଏହା ପରେ ମମତା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳଙ୍କ ଉପରେ ପ୍ରବଳ ବର୍ଷିଥିଲେ। ମମତା କହିଥିଲେ, ରାଜ୍ୟପାଳ ତାଳରୁ ତଳିପା ଯାଏଁ ଦୁର୍ନୀତିଗ୍ରସ୍ତ। ତିନି ଦଶନ୍ଧି ପୁରୁଣା ଜୈନ ହାୱାଲା ମାମଲାର ଚାର୍ଜସିଟରେ ମଧ୍ୟ ତାଙ୍କ ନାମ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସେ କୋର୍ଟକୁ ଯାଇ ତାଙ୍କ ନାମ ହଟାଇ ଦେଇଥିଲେ। ଏବେ ମଧ୍ୟ ଏକ ପିଟିସନରେ ତାଙ୍କ ନାମ ରହିଛି, ଯାହା କୋର୍ଟରେ ବିଚାରାଧୀନ ଅଛି। ରାଜ୍ୟପାଳଙ୍କୁ ହଟାଇବା ପାଇଁ ସେ କେନ୍ଦ୍ରକୁ ତିନୋଟି ଚିଠି ପଠାଇଛନ୍ତି ବୋଲି କହିଛନ୍ତି ମମତା।

ଅନ୍ୟପକ୍ଷରେ ରାଜ୍ୟପାଳ ରାଜ ଭବନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ମୋର ନାମ କେବେ ବି ଜୈନ ହାୱାଲା ମାମଲାର ଚାର୍ଜସିଟରେ ନଥିଲା।

Comments are closed.