ପ୍ରାଥମିକ ଏବଂ କମ୍ୟୁନିଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗନିର୍ଣ୍ଣୟ ପରୀକ୍ଷା ସୁବିଧା ବଢ଼ିବ

ଜୁଲାଇ ଶେଷସୁଦ୍ଧା କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉଭୟ ଗ୍ରାମ ଏବଂ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ କମ୍ୟୁନିଟି ହେଲଥ୍ ସେଣ୍ଟର ମାନଙ୍କରେ ଖୁବଶିଘ୍ର ରୋଗନିର୍ଣ୍ଣୟ ପରୀକ୍ଷା ପାଇଁ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସୃଷ୍ଟି କରାହେବ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାର ଆଧୁନିକରଣ ସମ୍ବନ୍ଧୀୟ ଆର୍ଥିକ , ବୈଷୟିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଗ୍ରାମ ଓ ସହରାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଆରୋପକରି ଏଥି ପାଇଁ ଆବଶ୍ୟକତା ଭିତ୍ତିକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସବୁ ସ୍ତରରେ ରହିଥିବା ଭିରିଭୂମି ଏବଂ ଯନ୍ତ୍ରପାତି ଆବଶ୍ୟକତାର ସଠିକ ଅନୁଧ୍ୟାନ କରି ଜୁଲାଇ ମାସ ଶେଷସୁଦ୍ଧା ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ମହାପାତ୍ର କହିଥିଲେ ।

ଏହି କାର୍ଯ୍ୟର ସୁପରିଚାଳନା ଏବଂ ତଦାରଖ ନିମନ୍ତେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତି ହୋଇଥିଲା । ରାଜ୍ୟସ୍ତରୀୟ କମିଟି ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାସ୍ତରୀୟ କମିଟି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ରାଜ୍ୟ କମିଟିରେ ତ୍ରୀସ୍ତରୀୟ ଗ୍ରାମ୍ୟ ଓ ସହର ସ୍ଵାୟତଶାସନ ସଂସ୍ଥାରୁ ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ସେହିପରି ଜିଲ୍ଲାସ୍ତରୀୟ କମିଟିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଫଚାୟତିରାଜ ଓ ପାନୀୟ ଜଳଯୋଗାଣ , ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀମାନଙ୍କ ସହ ଫଚାୟତ ଓ ସହରାଞ୍ଚଳ ସ୍ଵାୟତ ଶାସନ ସଂସ୍ଥାର ପ୍ରତିନିଧୁମାନେ ମଧ୍ୟ ସଦସ୍ୟ ରହିବେ । ଏଥି ପାଇଁ ଗ୍ରାମ ଓ ସହରାଞ୍ଚଳ ସ୍ଵାୟତ ଶାସନ ସଂସ୍ଥାମାନଙ୍କର ଦକ୍ଷତା ଅବିବୃଦ୍ଧି କର୍ମଶାଳାମାନ ଆୟୋଜନ କରାଯିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ୧୫ଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଏହି ଭିଭିଭୂମି ଓ ସେବା ସୁଯୋଗ ଅବିବୃଦ୍ଧି କାର୍ଯ୍ୟକ୍ରମ କରାଯିବ । ଏଥି ପାଇଁ ୨୦୨୧ ରୁ ୨୦୨୬ ମସିହା ମଧ୍ୟରେ ପ୍ରାୟ ୨୪୫୪ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ଅର୍ଥ ସ୍ଥାନୀୟ ସ୍ଵାୟତ ଶାସନ ସଂସ୍ଥା ମାଧ୍ୟମରେ ବିନିଯୋଗ ହେବ ।

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ଉନ୍ନତିକରଣ , ବ୍ଲକ୍ ସ୍ତରରେ ଜନ ସ୍ବାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା , ରୋଗ ନିଦାନ ପରୀକ୍ଷା ପାଇଁ ଭିତ୍ତିଭୂମି , ଯନ୍ତ୍ରପାତି ଆଦି କାର୍ଯ୍ୟରେ ଏହି ଅର୍ଥ ନିବେଶ କରାଯିବ । ଏହା ଫଳରେ ଜନସାଧାରଣ ସହଜରେ ଆଧୁନିକ ରୋଗନିୟ ସୁବିଧା ନିଜ ଅଂଚଳରେ ପାଇ ପାରିବେ । ବିଭିନ୍ନ ପ୍ରକାର ସାଧାରଣ ନିଦାନ
ପରୀକ୍ଷା ପାଇଁ ସହରାଞ୍ଚଳକୁ ଦୌଡି ଖର୍ଚ୍ଚାନ୍ତ ହେବେ ନାହିଁ । ତୃଣମୁଳସ୍ତର ସ୍ୱାସ୍ଥ୍ୟ ସେବା ଯୋଗାଣରେ ଏହା ବିଶେଷ ସହାୟକ ହେବ । ପ୍ରକଳ୍ପ ପ୍ରସ୍ତୁତି , ସମୟାନୁବନ୍ଧିତ ଭାବେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ଏବଂ ଗୁଣାତ୍ମକ ସେବା ଯୋଗାଣ ଉପରେ ଦୃଷ୍ଟି ନିବଦ୍ଧ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର , ଫଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ , ନଗର ଓ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମଥୁଥାନନ୍ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍ , ସହରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.