ନିରଙ୍କୁଶ ଶାସନ ବିରୋଧରେ ଗ୍ୟାରେଣ୍ଟି ନୁହେଁ ନିର୍ବାଚନ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ମାଧ୍ୟମରେ ଶାସକ ବଦଳାଇବାକୁ ଲୋକଙ୍କ ଅଧିକାର ଥିଲେ ବି ଏହା ନିରଙ୍କୁଶ ଶାସନ ବିରୋଧରେ ଗ୍ୟାରେଣ୍ଟି ନୁହେଁ ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା । ସାମ୍ପ୍ରତିକ ସମୟରେ ଦେଶରେ ଅଘୋଷିତ ଜରୁରୀ ସ୍ଥିତିର ଭୟ ସୃଷ୍ଟି ହୋଇଥିବା ବେଳେ ପ୍ରଧାନ ବିଚାରପତିଙ୍କ ଏହି ବୟାନ ଗୁରୁ୍‌ତ୍ୱ ବହନ କରୁଛି ।

ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ, ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ସବୁ ପକ୍ଷର ମତାମତକୁ ଗ୍ରହଣ କରାଯିବା ଉଚିତ । ସମାଲୋଚନା ଓ ପ୍ରତିବାଦ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ସମ୍ମାନ ଦିଆଯିବା ଉଚିତ । ଗଣତନ୍ତ୍ରରେ ସାଧାରଣ ଲୋକଙ୍କ ଭୂମିକା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ବୋଲି ଜଷ୍ଟିସ୍ ପିଡି ଦେଶାଇ ମୋମୋରିଆଲ ଲେକ୍‌ଚରରେ ଅନଲାଇନ୍ ସମ୍ବୋଧନ ଅବସରରେ କହିଛନ୍ତି ଜଷ୍ଟିସ୍ ରମନ୍ନା ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ, ସରକାରଙ୍କ କ୍ଷମତା ଓ କାର୍ଯ୍ୟକୁ ଚେକ୍ କରିବା ପାଇଁ ନ୍ୟାୟପାଳିକାକୁ ପୂର୍ଣ୍ଣ ସ୍ୱାଧୀନତା ମିଳିବା ଉଚିତ । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଦ୍ୱାରା ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ଯଦି ଏମିତି ହୁଏ ,ତେବେ ଦେଶର ଆଇନ କାନୁନ ବ୍ୟବସ୍ଥା କେବଳ ଏକ ଛଳନା ହୋଇ ରହିଯିବ ।
ନ୍ୟାୟପାଳିକାର ରାୟ ଉପରେ ସୋସିଆଲ ମିଡିଆର ପ୍ରଭାବ ନେଇ ଜଷ୍ଟିସ ରମନ୍ନା କହିଛନ୍ତି ଯେ, ସୋସିଆଲ ମିଡିଆରେ ସବୁ ପ୍ରସଙ୍ଗକୁ ଅତରିଞ୍ଜିତ କରି ଉପସ୍ଥାପିତ କରାଯାଉଛି । ଭୁଲ୍‌-ଠିକ୍‌, ମିଛ-ସତ, ଅସଲି-ନକଲିର ପାଥର୍କ୍ୟ ସ୍ଥିର କରିବାରେ ଏହା ଅସମର୍ଥ । ଏଣୁ ମିଡ଼ିଆ ଟ୍ରାଏଲ ଭିତ୍ତିରେ ନ୍ୟାୟପାଳିକା କୌଣସି ମାମଲାରେ ନିଷ୍ପତ୍ତି ନେବା ଠିକ୍ ନୁହେଁ ।

Comments are closed.