ଭାରତର ଚେତାବନୀ ପରେ ‘କୋଭିଶିଲ୍ଡ’କୁ ୟୁରୋପୀୟ ସଂଘର ୮ ଦେଶ ଦେଲେ ମଞ୍ଜୁରି

ନୂଆଦିଲ୍ଲୀ: ଭାରତର ଚେତାବନୀ ଓ ଚାପ ପରେ ୟୁରୋପୀୟ ସଂଘ (ଇୟୁ)ର ‘ଗ୍ରୀନ୍ ପାସ୍‌’ରେ ସାମିଲ ହୋଇଛି କୋଭିଶିଲ୍ଡ ଟିକା । ଭାରତରେ ଉତ୍ପାଦିତ ହେଉଥିବା ଏହି ଟିକାକୁ ୟୁରୋପୀୟ ସଂଘର ୮ଟି ଦେଶ ମଞ୍ଜୁରୀ ଦେଇଛନ୍ତି । କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ଏବେ ୟୁରୋପର ଏହି ସାତଟି ଦେଶକୁ ଯାତ୍ରା କରିପାରିବେ । କୋଭିଶିଲ୍ଡ ଟିକାକୁ ମଞ୍ଜୁରି ଦେଇଥିବା ୟୁରୋପୀୟ ସଂଘର ୮ ଦେଶ ହେଉଛନ୍ତି ଜର୍ମାନୀ, ସ୍ଲୋଭେନିଆ, ଅଷ୍ଟିି୍ରଆ, ଗ୍ରୀସ୍‌, ଆଇସଲାଣ୍ଡ୍‌, ସ୍ପେନ୍ ଏବଂ ସ୍ୱିଜରଲାଣ୍ଡ ।

ଜୁଲାଇ ପହିଲା ଆର୍ଥତ ଆଜିଠାରୁ ୨୭ ଦେଶ ବିଶିଷ୍ଟ ୟୁରାପୀୟ ସଂଘ ଡିଜିଟାଲ କୋଭିଡ୍ ସାର୍ଟିଫିକେଟ୍ ଲାଗୁ ହୋଇଛି । ଏହା ଅଧୀନରେ ୟୁରୋପୀୟ ସଂଘ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଟିକା ନେଇଥିବା ଲୋକଙ୍କୁ ହିଁ ୟୁରୋପ ଆସିବାକୁ ଅନୁମତି ଦିଆଯିବ ଏବଂ ସେହି ଯାତ୍ରୀମାନଙ୍କ ଉପରେ କୌଣସି କ୍ୱାରେଣ୍ଟାଇନ କଟକଣା ରହିବ ନାହିଁ । ୟୁରୋପୀୟ ସଂଘର ଡିଜିଟାଲ କୋଭିଡ୍ ସାର୍ଟିଫିକେଟ୍‌ରେ ଏହି ସଂଘର ସଦସ୍ୟ ରାଷ୍ଟ୍ର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟିକାକୁ ସାମିଲ କରାଯାଇଛି । ଏଥିରେ ସାମିଲ କରାଯାଇଥିବା ଟିକା ଗୁଡିକ ହେଲା ଆଷ୍ଟ୍ରାଜେନେକା, ଫାଇଜର, ମଡେର୍ଣ୍ଣା ଓ ଜନସନ୍ ଆଣ୍ଡ ଜନସନ୍ । ତେବେ ଏହି ତାଲିକାରେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକାକୁ ସାମିଲ କରାଯାଇନଥିବାରୁ ଭାରତ ଏନେଇ ପ୍ରତିବାଦ ଜଣାଇଥିଲା । ଭାରତ ମଧ୍ୟ ୟୁରୋପୀୟ ସଂଘକୁ ଚେତାବନୀ ଦେଇଥିଲା । କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ନେବାପରେ କୋ-ୱିନ୍ ପୋର୍ଟାଲ ଜରିଆରେ ମିଳୁଥିବା ପ୍ରମାଣପତ୍ରକୁ ଯଦି ୟୁରୋପୀୟ ସଂଘ ଗ୍ରହଣ ନ କରେ, ତେବେ ଆମେ ମଧ୍ୟ ୟୁରୋପୀୟ ସଂଘର ଡିଜିଟାଲ ସାର୍ଟିଫିକେଟ୍‌କୁ ସ୍ୱୀକୃତି ଦେବୁ ନାହିଁ ବୋଲି ଭାରତ କହିଥିଲା । ଭାରତର ଚାପ ପରେ ୟୁରୋପୀୟ ସଂଘର ୮ ଦେଶ ଏବେ କୋଭିଶିଲ୍ଡକୁ ଅନୁମତି ଦେଇଥିଲେ ମଧ୍ୟ କୋଭାକ୍ସିନ ଟିକାକୁ ମଞ୍ଜୁରି ମିଳିନାହିଁ ।

Comments are closed.