ଗୁଲଶନ କୁମାର ହତ୍ୟା ମାମଲା: ରାଉଫ୍ ମର୍ଚାଣ୍ଟର ଆଜୀବନ ସଜା କାଏମ ରଖିଲେ ବମ୍ବେ ହାଇକୋର୍ଟ, ‘ଟିପ୍ସ’ ମାଲିକ ତୌରାନି ଦୋଷମୁକ୍ତ

ମୁମ୍ବାଇ: ଗୁଲଶନ କୁମାର ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟଙ୍କ ଫଇସଲା ଆସିଛି। ‘ଟିପ୍ସ’ର ମାଲିକ ରମେଶ ତୌରାନୀଙ୍କୁ କୋର୍ଟ ଦୋଷମୁକ୍ତ କରିଥିବାବେଳେ ରାଉଫ୍ ମର୍ଚାଣ୍ଟର ଆଜୀବନ କାରାଦଣ୍ଡକୁ କାଏମ ରଖିଛନ୍ତି। ଏହା ବ୍ୟତୀତ ଅନ୍ୟ ଜଣେ ଅଭିଯୁକ୍ତ ଅବଦୁଲ ରସିଦକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ହାଇକୋର୍ଟ। ପୂର୍ବରୁ ତଳକୋର୍ଟ ରସିଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ସୂଚନାଯୋଗ୍ୟ ଯେ ସଂଗୀତ ଶିଳ୍ପର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କୁ ଅଗଷ୍ଟ ୧୯୯୭ରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳ ସ୍ଥିତ ଏକ ମନ୍ଦିର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

ପୂଜାପାଠ ପାଇଁ ଗୁଲଶାନ କୁମାର ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ଆତତାୟୀ ତାଙ୍କୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଗୁଲଶାନ କୁମାରଙ୍କ ମୃତ୍ୟୁ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମର ନିର୍ଦ୍ଦେଶରେ ଗୁଲଶାନ କୁମାରଙ୍କୁ ହତ୍ୟା କରାଯାଇଥିଲା। ଗୁଲଶନ କୁମାରଙ୍କ ବାପାଙ୍କର ଏକ ଜୁସ୍ ଦୋକାନ ଥିଲା, କିନ୍ତୁ ଗୁଲଶାନ୍ ସଙ୍ଗୀତ ଶିଳ୍ପରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ସେ ଟି-ସିରିଜ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ, ଯାହା ସଙ୍ଗୀତ ଓ ଫିଲ୍ମ ନିର୍ମାଣ କ୍ଷେତ୍ରରେ ଭାରତର ସବୁଠୁ ବଡ଼ କମ୍ପାନୀ ଅଟେ । ଭକ୍ତି ସଂଗୀତର କ୍ୟାସେଟ୍ ମାଧ୍ୟମରେ ଗୁଲଶନ୍ କୁମାର ସାରା ଦେଶରେ ସଙ୍ଗୀତ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିଥିଲେ। ଟି-ସିରିଜ୍ ମଧ୍ୟ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି | ଗୁଲଶନ ଅନେକ ସଂଗୀତ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଥିଲେ ଏବଂ ସେମାନଙ୍କୁ ବଲିଉଡରେ ପ୍ରତିଷ୍ଠିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

Comments are closed.