‘ଚୋରର ଦାଢ଼ି’, ରାଫେଲ ବିବାଦ ନେଇ ରାହୁଲଙ୍କ ଟ୍ବିଟ୍

ନୂଆଦିଲ୍ଲୀ: ପୁଣି ଉଠିଛି ରାଫେଲ ତାତି। ଫ୍ରାନ୍ସରେ ଜଣେ ବିଚାରପତିଙ୍କ ତତ୍ତ୍ଵାବଧାନରେ ରାଫେଲ ଯୁଦ୍ଧ ବିମାନ ଡିଲରେ ହୋଇଥିବା ଅନିୟମିତତାର ତଦନ୍ତ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ଏନେଇ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଛି । ରାଫେଲ ବିବାଦରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏକ ସଂକ୍ଷିପ୍ତ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ନିଜ ଟ୍ୱିଟରେ ରାଫାଲସ୍କାମ ହ୍ୟାସଟ୍ୟାଗ ବ୍ୟବହାର କରି ଲେଖିଛନ୍ତି, ‘ଚୋରର ଦାଢ଼ି..।’

ଏହାପୂର୍ବରୁ କଂଗ୍ରେସ ରାଫେଲ ଡିଲ୍ ର ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ତଦନ୍ତ ଦାବି କରିଥିଲା ।

ଫ୍ରାନ୍ସରେ ରାଫେଲ୍ ଡିଲ୍ ରେ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିବା ବେଳେ, ମୋଦି ସରକାର କାହିଁକି ଏହାର ଜେପିସି ଯାଞ୍ଚ୍ କରୁନାହାଁନ୍ତି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି । ଯଦି କିଛି ଅନିୟମିତତା ହୋଇନାହିଁ ସରକାର ତଦନ୍ତକୁ ଭୟ କରୁଛନ୍ତି ? ସୁରଜେୱାଲା କହିଛନ୍ତି ଯେ ଏହା ଦେଶର ସୁରକ୍ଷା ସହ ଜଡିତ, ତେଣୁ ଜେପିସି ତଦନ୍ତ ହେବା ଉଚିତ। ସେ କହିଛନ୍ତି ଯେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଦୁର୍ନୀତିମୁକ୍ତ ଶାସନ ଯୋଗାଇବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ ।

ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ରାଫାଲ ବିମାନ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୭.୮ ବିଲିୟନ ୟୁରୋ (୭୦ ହଜାର କୋଟି) ଚୁକ୍ତିରେ ଭାରତ ୩୬ଟି ଯୁଦ୍ଧ ବିମାନ ପାଇବ। ଡାସଲ୍ଟ ଆଭିଏସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତିକୁ ନେଇ କଂଗ୍ରେସ ଦୁର୍ନୀତି ଅଭିଯୋଗ କରିଆସିଛି। ଏହି ଡିଲ୍ ସମ୍ବନ୍ଧରେ ୨୦୧୮ରେ ଫ୍ରାନ୍ସର ଏକ ଏନଜିଏ ଶେର୍ପା ଅଭିଯୋଗ ଦାଖଲ କରିଥିଲା ​​ଏବଂ ସେହି ସମୟରେ ପିଏନ୍ଏଫ୍ ଏନେଇ ତଦନ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।

Comments are closed.