ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ହଟାଇବାକୁ ଦାବି କଲା ତୃଣମୂଳ କଂଗ୍ରେସ, ରାଷ୍ଟ୍ରପତିଙ୍କୁ ଦେଲା ସ୍ମାରକ ପତ୍ର

ନୂଆଦିଲ୍ଲୀ: ତୁଷାର ମେହେଟାଙ୍କୁ ସଲିସିଟର ଜେନେରାଲ ପଦରୁ ହଟାଇବାକୁ ଦାବି କରିଛି ତୃଣମୂଳ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଦଳର ଏକ ପ୍ରତିନିଧୀ ମଣ୍ଡଳୀ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ତୃଣମୂଳ କଂଗ୍ରେସ ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତର ସଲିସିଟର ଜେନେରାଲ ପଦର ସମ୍ମାନ ରକ୍ଷା କରିବା ପାଇଁ ତୁଷାର ମେହେଟ୍ଟାଙ୍କୁ ଏହି ପଦରୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ ବୋଲି ଦଳ କହିଛି।

ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ସ୍ମାରକପତ୍ରରେ ତୃଣମୂଳ କଂଗ୍ରେସ ଲେଖିଛି, “ଭାରତୀୟ ଜନତା ପାର୍ଟି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଭାରତର ସଲିସିଟର ଜେନେରାଲଙ୍କ ବୈଠକ ବିଷୟରେ ଅନେକ ଖବର ପ୍ରକାଶ ପାଇଛି। ଏହି ସଭାର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଶୁଭେନ୍ଦୁ ଅଧିକାରୀ ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତ ଅଛନ୍ତି । ”

“ତୁଷାର ମେହେଟ୍ଟାଙ୍କ ସରକାରୀ ବାସଭବନରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶର ଜଣେ ସର୍ବୋଚ୍ଚ ଆଇନ ଅଧିକାରୀ ଏବଂ ଯିଏ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅଟନ୍ତି ସେ ସିବିଆଇ ନିଜେ ଯାଞ୍ଚ କରୁଥିବା ଜଣେ ଅଭିଯୁକ୍ତଙ୍କ ସହ ବୈଠକ କରିବା ଗୁରୁତର ବିଷୟ । । ତୁଷାର ମେହେଟ୍ଟାଙ୍କୁ ଭେଟିବା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି ବୋଲି ତୃଣମୂଳ କଂଗ୍ରେସ କହିଛି ।

ଏହାପୂର୍ବରୁ ତୃଣମୂଳ କଂଗ୍ରେସ ସାଂସଦମାନେ ମଧ୍ୟ ସମାନ କାରଣ ପାଇଁ ତୁଷାର ମେହେଟ୍ଟାଙ୍କୁ ହଟାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସିଲିସିଟର ଜେନେରାଲ ଭାବେ ତୁଷାର ମେହେଟା ସିବିଆଇ ଓ ଇଡି ଭଳି କେନ୍ଦ୍ର୍ରୀୟ ସଂସ୍ଥାର ଓକିଲ ଭାବେ ଦାୟିତ୍ୱ ତୁଲାଇଥାନ୍ତି । ସିବିଆଇ ବହୁ ଚର୍ଚ୍ଚିତ ନାରଦ ସ୍କାମର ତଦନ୍ତ କରୁଛି । ଏଭଳି ସ୍ଥଳେ ଅଧିକାରୀଙ୍କୁ ସଲିସିଟର ଜେନେରାଲ ଭେଟିବା ଏହି ସ୍ମାମର ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସ୍କାମରେ ମମତା ସରକାରର ଦୁଇ ମନ୍ତ୍ରୀଙ୍କ ସମେତ ଦଳର ଚାରି ନେତାଙ୍କୁ ସିବିଆଇ ମେ’ରେ ଗିରଫ କରିଥିଲା । ପରେ ସେମାନେ ଜାମିନରେ ମୁକୁଳିଥିଲେ । ଶୁଭେନ୍ଦୁ ଅଧିକାରୀ ମଧ୍ୟ ନାରଦ ସ୍କାମର ଅନ୍ୟତମ ଅଭିଯୁକ୍ତ । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିନଥିଲା ।

Comments are closed.