ଉଦନ୍ତୀ ନଦୀରେ ହେବ ବୃହତ ଚେକଡ୍ୟାମ: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଧିବଦ୍ଧ ଘୋଷଣା

ଚାଷୀଙ୍କ ସହ ଭାବବିନିମୟ କରିବେ ନବୀନ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଚାଷୀଙ୍କ ଦୀର୍ଘ ଦଶନ୍ଧିର ଦୁଃଖ ଦୂର ହେବ । ଉଦନ୍ତୀ ନଦୀରେ ଏକ ବୃହତ ଚେକ୍ ଡାମ୍ ନିର୍ମାଣ ହେବ । ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଏହାର ବିଧିବଦ୍ଧ ଭାବେ ଘୋଷଣା କରିବା ସହିତ ଚାଷୀଙ୍କ ସହ ଭାବ ବିନିମୟ କରିବେ । ଏଥିପାଇଁ ଆଜି ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ , ମୋଟ୍ ୮୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳର ହଜାର ହଜାର ଚାଷୀଙ୍କ ଦୁଃଖ ଦୂର ହେବ ବୋଲି ଜଣାପଡିଛି ।

ଘଣ୍ଟିଗୁଡା ପଂଚାୟତ ନଦୀଗାଁ ଠାରେ ଉଦନ୍ତୀ ନଦୀରେ ୮୫୦ ଲକ୍ଷ ବ୍ୟୟ ଅଟକଳରେ ଏକ ଚେକଡ୍ୟାମ ହେବାକୁ ଯାଉଛି । ଏନେଇ ଦୀର୍ଘ ଦିନରୁ ଚାଷୀମାନେ ଦାବି କରି ଆସୁଥିଲେ । ଏହି ପ୍ରକଳ୍ପ ନେଇ ଆସନ୍ତା ମଙ୍ଗଳବାର ଦିନ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଜଣାପଡିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନାପାଲି ବ୍ଲକର ଚାଷୀ ମାନଙ୍କ ସହ ସିଧାସଳଖ କଥା ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଘଣ୍ଟିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ଜନସାଧାରଣ , ଲୋକପ୍ରତିନିଧ , ବୁଦ୍ଧିଜୀବୀ ସାଙ୍ଗକୁ ଚାଷୀମାନେ ଉପସ୍ଥିତ ଥିଲେ । ଏହି ଚେକ ଡୋମ୍ ଦ୍ଵାରା ଏକ ଜଳଭଣ୍ଡାର ସୃଷ୍ଟି କରାଯାଇ ବ୍ୟାପକ ଜଳସେଚନ ସୁବିଧା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ଦ୍ଵାରା ଚେକଡ୍ୟାମ ସଂଲଗ୍ନ ଘଣ୍ଟିଗୁଡା ଏବଂ ମାଖପଦର ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ଏବଂ ବୃହତ ଉଠା ଜଳସେଚନର ସୁବିଧା ହୋଇପାରିବ । ଏହାଛଡା ଉଦନ୍ତୀ ନଦୀରେ ଜଳ ସଂରକ୍ଷଣ ମଧ୍ୟ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ , ଏହି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.