ତୁମ ମନମାନି ଚଳିବନି, ଟ୍ବିଟରକୁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଭିଯୋଗ ନିବାରଣ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଦିଲ୍ଲୀ ହାଇକୋର୍ଟ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ଭର୍ତ୍ସନା କରିଛନ୍ତି । ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ତୁମକୁ କେତେ ସମୟ ଲାଗୁଛି ? ଯଦି ତୁମେ ଭାବୁଛ ଆମ ଦେଶରେ ତୁମେ ନିଜ ଇଚ୍ଛା ମୁତାବକ ସମୟ ନେଇପାରିବ, ତେବେ କୋର୍ଟ ଏହାକୁ ଅନୁମତି ଦେବେ ନାହିଁ । ତୁମ ମନମାନି ଚଳିବ ନାହିଁ ବୋଲି ହାଇକୋର୍ଟ ଏହି ମାଇକ୍ରୋ ବ୍ଲଗିଂ ସାଇଟକୁ ଚେତାବନୀ ଦେଇଛନ୍ତି ।

ନୂଆ ଆଇଟି ନିୟମ ଅନୁଯାୟୀ ଟ୍ୱିଟର ଆଇନ ଉଲ୍ଲଂଘନ କରୁଛି । ନୂଆ ଆଇଟି ନିୟମ ଅନୁସାରେ ଅଭିଯୋଗ ନିବାରଣ ଅଧିକାରୀଙ୍କୁ କେବେ ନିଯୁକ୍ତ କରାଯିବ ତାହା ଜୁଲାଇ ୮ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ଏହି ସୋସିଆଲ ମିଡ଼ିଆ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ ପ୍ରସଙ୍ଗରେ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଖୁବ ଶୀଘ୍ର ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବ ବୋଲି କହିଥିଲା।

ଟ୍ୱିଟର ବିରୋଧରେ ଲଗାତାର ଅଭିଯୋଗ ହୋଇଆସୁଛି ଯେ ଏହି ସୋସିଆଲ ମିଡିଆ ଭାରତୀୟ ନିୟମ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରୁନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୫ରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ନୂଆ ଗାଇଡ ଲାଇନ୍ ଜାରି କରିଥିଲେ । ଏହାକୁ ପାଳନ କରିବାକୁ ସବୁ କମ୍ପାନୀକୁ ତିନିମାସ ସମୟ ଦିଆଯାଇଥିଲା । ଏନେଇ ସମୟସୀମା ସେ ୨୫ରେ ଶେଷ ହୋଇଛି। ଏହି ଗାଇଡଲାଇନରେ ଏହି କମ୍ପାନୀ ଗୁଡ଼ିକୁ ଭାରତରେ ମୁଖ୍ୟ କମ୍ପ୍ଲାଏନ୍ସ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତ କରିବା ଏବଂ ଭାରତୀୟ ଆଇନ ପାଳନ କରିବାକୁ କୁହାଯାଇଥିଲା ।

Comments are closed.