ବରଗଡ଼ ଚିନି କଳର ପ୍ରଶାସିକା ଦାୟିତ୍ବ ନେଲେ ଜିଲ୍ଲାପାଳ, ବନ୍ଦ ଚିନିକଳ ଖୋଲିବା ନେଇ ଆଶା ସଞ୍ଚାର

ବରଗଡ଼ : ବରଗଡ଼ ଜିଲ୍ଲାର ତୋରାସ୍ଥିତ ଚିନିକଳର ନୂତନ ପ୍ରଶାସିକା ଭାବେ ଆଜି ଜିଲ୍ଲାପାଳ ମନିଷା ବାନାର୍ଜୀ ଦାୟିତ୍ବ ଗ୍ରହଣ କରିଛନ୍ତି । କାରଖାନାର ପରିଚାଳନା ବୋର୍ଡ ଇତିମଧ୍ୟରେ ଭାଙ୍ଗି ସାରିଥିବା ବେଳେ ବିଦାୟୀ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହାର ପ୍ରଶାସକ ଦାୟିତ୍ବରେ ଥିଲେ । ତେବେ , ବୋର୍ଡ ଭାଙ୍ଗିବା ପରେ ବର୍ତ୍ତମାନ ୧୯ ବର୍ଷ ପରେ ଜଣେ ଆଇଏଏସ୍ ଅଧିକାରୀ ଏହାର ପ୍ରଶାସକ ପଦ ସମ୍ଭାଳିଛନ୍ତି । ତତ୍କାଳୀନ ଜିଲ୍ଲାପାଳ ଅପରାଜିତା ଷଡ଼ଙ୍ଗୀଙ୍କ ବଦଳିର ୧୯ ବର୍ଷ ପରେ ପୁଣି ଜଣେ ଆଇଏଏସ୍ ଅଧିକାରୀ କାରଖାନାର ଭାର ଗ୍ରହଣ କରିବା ପରେ ବନ୍ଦ କାରଖାନା ଖୋଲିବା ନେଇ କର୍ମଚାରୀ ମହଲରେ ଆଶା ସଞ୍ଚାର ହୋଇଛି ।

ଆଜକୁ ୪ ବର୍ଷ ହେଲା ଏହି ଚିନି କଳ ବନ୍ଦ ହୋଇପଡିଛି । ଏହାର ସମସ୍ୟା ନେଇ କର୍ମଚାରୀ ୟୁନିୟନର ସଦସ୍ୟମାନେ ଦୁଇ ଦିନ ତଳେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମଂଗଳବାର କାରଖାନାର ଲିଆଜନିଂ ଅଧିକାରୀ ଶ୍ରୀନିବାସ ରାଓଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମନିଷା ବାନାର୍ଜୀ ଏହାର ପ୍ରଶାସିକା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଉ ଦାୟିତ୍ବ ଗ୍ରହଣ ପରେ ଆଗାମୀ ୧୫ ଦିନ ମଧ୍ୟରେ କାରଖାନା ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବାକୁ ମନିଷା ପ୍ରତିଶ୍ରୁତି ଦେବା ପରେ କର୍ମଚାରୀ ମହଲରେ ଉତ୍ସାହ ଦେଖାଦେଇଛି । ୧୯୯୩ ମସିହା ପର୍ଯ୍ୟନ୍ତ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ବରେ ଲାଭଜନକ ସଂସ୍ଥା ଭାବେ ପରିଚିତ ଏହି ଅନୁଷ୍ଠାନ ପରେ ରୁଗଣ ଅବସ୍ଥାକୁ ଆସି ବନ୍ଦ ହୋଇଯାଇଥିଲା ।

୧୯୫୬ରେ ସମବାୟକ ଭିତ୍ତିରେ ପ୍ରତିଷ୍ଠିତ ବରଗଡ଼ ଚିନିକଳ ୨୦୧୭ ଏପ୍ରିଲ ଯାଏଁ ସୁରୁଖୁରୁରେ ଚାଲୁଥିଲା । ହେଲେ ଆଖୁର ଅଭାବରୁ କାରଖାନାଟି ଗତ ୨୦୧୭ରୁ ବନ୍ଦ ହୋଇଯାଇଛି । ସେପଟେ ଆଜକୁ ୪୫ ମାସ ହେଲା କର୍ମଚାରୀ ଦରମାରୁ ବଞ୍ଚିତ ରହିଛନ୍ତି । କାରଖାନାକୁ ପୁଣି ଚାଲୁ କରିବା ପାଇଁ ସରକାରୀସ୍ତରରେ ଅନେକ ଉଦ୍ୟମ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ତାହା ଚାଲି ପାରିନାହିଁ । ଏଭଳି ସ୍ଥିତିରେ ମନିଷା ଏହି କାରଖାନାକୁ ପୁଣି ଚାଲୁ କରିବାକୁ ଦେଖାଇଥିବା ଆଗ୍ରହ ଯୋଗୁଁ ପୁଣି ଥରେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆଖୁ ଚାଷୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।

Comments are closed.