ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଲେ କଲିକତା ହାଇକୋର୍ଟ ବିଚାରପତି

କୋଲକାତା: ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ କୌଶିକ ଚାନ୍ଦ । ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତାଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରିବାକୁ ଥିବା ଖଣ୍ଡପୀଠରୁ ଜଷ୍ଟିସ କୌଶିକ ଚାନ୍ଦଙ୍କ ହଟାଇବାକୁ ମମତା ଦାବି କରିଥିଲେ । ବିଜେପି ସହ ଜଷ୍ଟିସ ଚାନ୍ଦଙ୍କ ଲିଙ୍କ୍ ଥିବା ଅଭିଯୋଗ କରିଥିଲେ ମମତା। ତାଙ୍କ ଓ ନ୍ୟାୟପାଳିକାର ଛବି ଖରାପ କରିବାକୁ ମମତା ଉଦ୍ୟମ କରିଛନ୍ତି ବୋଲି ଜଷ୍ଟିସ ଚାନ୍ଦ କହିବା ସହ ତାଙ୍କ ଉପରେ ଏହି ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସେ ମଧ୍ୟ ମମତାଙ୍କ ଆବେଦନ ଶୁଣାଣିରୁ ଓହରି ଯାଇଛନ୍ତି ।

ଏହାପୂର୍ବରୁ ପିଟିସନ ଦାଖଲ କରିବାବେଳେ ମମତାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଜଷ୍ଟିସ ଚାନ୍ଦଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିଜେପି ନେତାଙ୍କ ସହ ନଜର ଆସିଛନ୍ତି। ତେଣୁ ସେ ଏହି ମାମଲାରୁ ଓହରିବା ଉଚିତ୍।

ମେ ୨ରେ, ଚାରି ରାଜ୍ୟ ଏବଂ ଦେଶର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା। ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ମମତା ୧୯୫୬ ଭୋଟରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ। ମମତା ନନ୍ଦିଗ୍ରାମରେ ପୁନଃ ମତ ଗଣନା କରିବାକୁ ଦାବି କରିଥିଲେ, ଯାହାକୁ ନିର୍ବାଚନ ଆୟୋଗ ଗ୍ରହଣ କରିନଥିଲେ।

Comments are closed.