ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସାମିଲ ହୋଇଥିବା ନୂଆ ମନ୍ତ୍ରୀ ଆଜି ସେମାନଙ୍କ ଦାୟିତ୍ବ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଭୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ମନ୍ତ୍ରୀଙ୍କ ସହ ଏହି ପ୍ରଥମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅପରାହ୍ନ ୫ଟାରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହା ପରେ ସନ୍ଧ୍ୟା ୭ଟାରୁ ମନ୍ତ୍ରୀମଣ୍ଡଳ ଏକ ବୈଠକ ହେବ ଯେଉଁଥିରେ କ୍ୟାବିନେଟ୍, ସ୍ୱାଧୀନ ଦାୟିତ୍ବ ଏବଂ ରାଷ୍ଟ୍ରମନ୍ତ୍ରୀ ଯୋଗଦେବେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଟିମ୍ ରେ ୧୫ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ମୋଟ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଏବଂ ଅଦଳବଦଳରେ ୭ ଜଣ ମନ୍ତ୍ରୀ ପଦୋନ୍ନତି ପାଇଛନ୍ତି। ମୋଟ ୧୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସିନ୍ଧିଆ ଏବଂ ରାଣେଙ୍କ ସମେତ ଆଠ ନୂଆ ଚେହେରାଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ଦିଆଯାଇଥିଲା। ମୋଟ ୧୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସଂଖ୍ୟା ପ୍ରଧାନମନ୍ତ୍ରୀଙ୍କ ସମେତ ୭୮କୁ ବୃଦ୍ଧି ପାଇଛି।

Comments are closed.